Categories: ଜାତୀୟ

‘ପ୍ରଧାନମନ୍ତ୍ରୀ କହୁଥିଲେ ଘରେ ପଶି ମାରିବୁ, ହେଲେ…’ ମୋଦିଙ୍କୁ ଟାର୍ଗେଟ କଲେ ଓୱେସି

ଶ୍ରୀନଗର, ୧୬।୦୭: ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସବୁଦ୍ଦିନ ଓୱେସି ଜମ୍ମୁ-କଶ୍ମୀରର ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣଙ୍କୁ ନେଇ ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଥିଲେ କି ଆମେ ଘରେ ପଶି ମାରିବୁ । ହେଲେ ଏ ସବୁ କଣ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଇଏ ସରକାରଙ୍କ ବଡ଼ ବିଫଳତା । କେନ୍ଦ୍ର ସରକାର ଆତଙ୍କବାଦକୁ ନିୟନ୍ତ୍ରଣରେ ରଖିପାରୁନାହାନ୍ତି ବୋଲି ସେ ଏଏନ୍‌ଆଇ ଦେଇଥିବା ସାକ୍ଷାତକାରରେ କହିଛନ୍ତି । ଡୋଡାର ଯେଉଁ ସ୍ଥାନରେ ଏହା ଆକ୍ରମଣ ହୋଇଛି ତାହା ଏଲ୍‌ଓସି ଠାରୁ ବହୁତ ଦୂର । ତେଣୁ ଏହା ବଡ଼ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି ।
ସୂଚନା ଥାଉକି, ଜମ୍ମୁ-କଶ୍ମୀରର ଡୋଡାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ମଙ୍ଗଳବାର ଜଣେ କ୍ୟାପ୍ଟେନ୍‌ଙ୍କ ସମେତ ୪ ଜଣ ଯବାନ ଶହୀଦ ହୋଇଛନ୍ତି । ଜଙ୍ଗଲ ଭିତର ଦୁର୍ଗମ ଅଞ୍ଚଳରେ ଜାରି ରହିଥିବା ତଲାସି ଅଭିଯାନ ସମୟରେ ଆତଙ୍କବାଦୀମାନେ ଲୁଚିଛପି ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ଏଥିରେ ସେନା ଯବାନ ଶହୀଦ ହୋଇଥିଲେ । ସେନା ଏହି ଯବାନଙ୍କ ନାମ ଜାରି କରିଛି ।

ଶହୀଦ ଯବାନଙ୍କ ମଧ୍ୟରେ କ୍ୟାପ୍ଟେନ୍‌ ବୃଜେଶ ଥାପା ରହିଛନ୍ତି । ବୃଜେଶ ଦ଼୍ବିତୀୟ ପିଢ଼ିର ଯବାନ । ଅର୍ଥାତ ତାଙ୍କ ବାପା କର୍ଣ୍ଣେଲ ଭୁବନେଶ ଥାପା ସେନାବାହିନୀରୁ ଅବସର ନେଇଛନ୍ତି । ତାଙ୍କ ଭଉଣୀ ଜଣେ ନେପାଳୀ ଗାୟିକା । ବୃଜେଶଙ୍କ ଘର ସିଲିଗୁଡ଼ି ବୋଲି ଜଣାପଡ଼ିଛି । ସେ ୨୦୧୯ ମସିହାରେ ସେନା ବାହିନୀରେ ଯୋଗ ଦେଇଥିଲେ । ତେବେ ବୃଜେଶ ସହ ନାୟକ ଡି ରାଜେଶ, ସିପାହୀ ବିଜେନ୍ଦ୍ର, ସିପାହୀ ଅଜୟ ଶହୀଦ ହୋଇଥିବା ସେନା ସୂଚନା ଦେଇଛି ।

Share