Categories: ଜାତୀୟ

ଚମକାଇଲା ଓୱାଇସିଙ୍କ ଦଳ, ଭାଜପାକୁ ହରାଇବାକୁ ଶିବସେନା ନେତୃତ୍ୱ ଏମଭିଏକୁ ଦେବ ଭୋଟ

ମୁମ୍ବାଇ,୧୦ ।୬: ମହାରାଷ୍ଟ୍ରର ୬ ରାଜ୍ୟ ସଭା ଆସନ ଲାଗି ଶୁକ୍ରବାର ନିର୍ବାଚନ ହେବାକୁ ଯାଉଛି । ଠିକ୍ ଏହା ପୂର୍ବରୁ ଅସଦୁଦ୍ଦିନ ଓୱାଇସିଙ୍କ ଦଳ ଏଆଇଏମ୍‌ଆଇଏମ୍ ଶିବସେନା ନେତ୍ୟତ୍ୱ ମହାବିକାଶ ଅଘାଡି ପ୍ରାର୍ଥୀଙ୍କୁ ଭୋଟ ଦେବ ବୋଲି କହିଛି । ତେବେ ଏଆଇଏମ୍‌ଆଇଏମ୍ ବିଧାୟକ କଂଗ୍ରେସ ପ୍ରାର୍ଥୀ ଇମ୍ରାନ ପ୍ରତାପଗଡିଙ୍କୁ ଭୋଟ ଦେବେ ବୋଲି ଦଳ କହିଛି ।
ମହାରାଷ୍ଟ୍ରର ଔରଙ୍ଗାବାଦରୁ ଏଆଇଏମ୍‌ଆଇଏମ୍ ଏମ୍‌ପି ଇମତିଆଜ ଜଲିଲ ଭୋଟିଂ ପୂର୍ବରୁ ଟୁଇଟ କରି ପାର୍ଟିର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହଛନ୍ତି, ଏଆଇଏମ୍‌ଆଇଏମ୍ ବିଧାୟକ ମହାବିକାଶ ଅଘାଡିର ପ୍ରାର୍ଥୀଙ୍କୁ ଭୋଟ ଦେବେ । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଏଆଇଏମ୍‌ଆଇଏମ୍‌ର ୨ ବିଧାୟକ ରହିଛନ୍ତି ।
ଏଆଇଏମ୍‌ଆଇଏମ୍ ଏମପି ଇମତିଆଜ ଜଲିଲ କହିଛନ୍ତି ଆମ ଦଳ ଭାରତୀୟ ଜନତା ପାର୍ଟି(ଭାଜପା)କୁ ହରାଇବାକୁ ମହାବିକାଶ ଅଘାଡିର ପ୍ରାର୍ଥୀଙ୍କୁ ଭୋଟ ଦେବ । ହେଲେ ଆମର ବିଚାରଧାରା ଶିବସେନାଠାରୁ ଅଲଗା ରହିବ । ଯାହା ଏମଭିଏ କଂଗ୍ରେସ ଓ ଏନସିପି ସହ ମେଣ୍ଟ ରହିଛି । ଅସଦୁଦ୍ଦିନ ଓୱାଇସିଙ୍କ ନାଁ ନେଇ ଜଲିଲ କହିଛନ୍ତି ଆମର ୨ ବିଧାୟକ କଂଗ୍ରେସ ପ୍ରାର୍ଥୀ ଇମରାନ ପ୍ରତାପଗଡିଙ୍କୁ ଭୋଟ ଦେବେ ।

Share