Categories: ଜାତୀୟ

ଅସାଲ୍ଟ ରାଇଫଲ ଚୁକ୍ତି ଭାରତ-ରୁଷିଆ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବ…

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ବ୍ଳାଡ଼ିମୀର ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ପ୍ରତିପକ୍ଷ ଜେନେରାଲ ସେର୍ଜେଇ ଶୋଇଗୁଙ୍କୁ ଭେଟିଛନ୍ତି। ଶୋଇଗୁଙ୍କ ସହ କଥାବାର୍ତ୍ତା ବେଳେ ରାଜନାଥ ସିଂ କହିଛନ୍ତି ଯେ ବହୁପକ୍ଷବାଦ, ବିଶ୍ୱ ଶାନ୍ତି, ସମୃଦ୍ଧତା ଏବଂ ପାରସ୍ପରିକ ବୁଝାମଣା ଏବଂ ପାରସ୍ପରିକ ବିଶ୍ୱାସ ଆଦି ସମ୍ପର୍କ ଉପରେ ଭାରତ-ରୁଷିଆ ମଧ୍ୟରେ ବନ୍ଧୁତ୍ୱ ସମୟର କଷଟି ପଥରରେ ବେଶ୍‌ ସଫଳ ରହିଛି ଅସାଲ୍ଟ ରାଇଫଲ ଚୁକ୍ତି ଦ୍ୱାରା ଭାରତ-ରୁଷିଆ ପ୍ରତିରକ୍ଷା ସମ୍ପର୍କ ଅଧିକ ସୁଦୃଢ଼ ହେବ ବୋଲି ରାଜନାଥ କହିଛନ୍ତି।

ଭାରତ-ରୁଷିଆ ବାର୍ଷିକ ଶିଖର ସମ୍ମିଳନୀ ସମ୍ପ୍ରତି ବିକାଶଶୀଳ ଭୌଗୋଳିକ ପରିସ୍ଥିତିରେ ଆମ ଦେଶ ମଧ୍ୟରେ ସ୍ବତନ୍ତ୍ର ରଣନୀତିକ ଭାଗିଦାରୀର ମହତ୍ତ୍ୱକୁ ପୁଣିଥରେ ପ୍ରମାଣିତ କରି ପାରିଛି ବୋଲି ରାଜନାଥ କହିଛନ୍ତି। ପ୍ରତିରକ୍ଷା ସହଭାଗୀତା ଭାରତ ଏବଂ ରୁଷିଆ ସମ୍ପର୍କର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଭାରତ-ରୁଷିଆ ସହଭାଗିତା ସମଗ୍ର ଅଞ୍ଚଳରେ ଶାନ୍ତି ଆଣିବାରେ ସହାୟକ ହେବା ସହିତ ସ୍ଥିରତା ଆଣିବାକୁ ସକ୍ଷମ ହେବ।

ମନ୍ତ୍ରୀସ୍ତରୀୟ ଆଲୋଚନା ସମୟରେ ରାଜନାଥ ସିଂ କହିଛନ୍ତି ଯେ ନିକଟ ଅତୀତରେ ଭାରତ-ରୁଷିଆର ପ୍ରତିରକ୍ଷା ସହଯୋଗ ଅଦ୍ଭୁତପୂର୍ବ ଭାବେ ସୁଦୃଢ଼ ହୋଇ ପାରିଛି। ଏହି ଆହ୍ବାନମୂଳକ ପରିସ୍ଥିତିରେ ରୁଷିଆ ଭାରତର ଏକ ପ୍ରମୁଖ ଅଂଶୀଦାର ହୋଇ ରହିବ ବୋଲି ଆମେ ଆଶା କରୁଛୁ ବୋଲି ରାଜନାଥ କହିଛନ୍ତି।

Share