Categories: ଜାତୀୟ

ମାଡ଼ି ଆସୁଛି ବାତ୍ୟା ‘ଅସନି’…

ନୂଆଦିଲ୍ଲୀ,୧୭।୩ : ବଙ୍ଗୋପସାଗରରେ ବାତ୍ୟା ’ଅସନି’ ଆସନ୍ତା ସପ୍ତାହରେ ପହଞ୍ଚିବାର ଆଶଙ୍କା ରହିଛି। ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଦକ୍ଷିଣ-ପଶ୍ଚିମ ଭାରତ ମହାସାଗରରେ ଏକ ଲଘୁଚାପ  ଅଞ୍ଚଳ ଯୋଗୁ ଆସନ୍ତା ସପ୍ତାହ ଆରମ୍ଭରେ ପ୍ରବଳ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଏହି ଘୂର୍ଣ୍ଣିବଳୟ ପରେ ବାଂଲାଦେଶ ଏବଂ ଉତ୍ତର ମ୍ୟାନ୍‌ମାର ଆଡକୁ ଗତି କରିବାର ସମ୍ଭବନା ରହିଛି। ଆଇଏମଡ ଅନୁଯାୟୀ, ବର୍ତ୍ତମାନର ଲୋ ପ୍ରେସର ଏରିଆ ମଙ୍ଗଳବାର ସୃଷ୍ଟି ହୋଇଛି ଏବଂ ଏହା ଶନିବାର ପର୍ଯ୍ୟନ୍ତ ପୂର୍ବ-ଉତ୍ତର-ପଶ୍ଚିମ ଦିଗକୁ ଯିବାର ସମ୍ଭାବନା ଅଛି। ପରେ ଏହା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଆଡକୁ ଗତି କରିବ।

ପାଣିପାଗ ବିଭାଗ କହିଛି ଯେ ସୃଷ୍ଟି ହୋଇଥିବା ଲଘୁଚାପ ଅଞ୍ଚଳ ମାର୍ଚ୍ଚ ୨୧ ରେ ସାଇକ୍ଲୋନିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି । ଯାହା ମାର୍ଚ୍ଚ ୨୨ ରେ ଉତ୍ତର ଏବଂ ଉତ୍ତର ପୂର୍ବ ଦିଗକୁ ଗତି କରିବ। ଯଦି ଏହି ଘୂର୍ଣ୍ଣିବଳୟ ଝଡ଼ର ରୂପ ନିଏ। ତେବେ ଏହାକୁ ଅସନି ଭାବେ ନାମିତ କରାଯିବ। ନିୟମ ଅନୁଯାୟୀ, ଏହି ସାଇକ୍ଲୋନିକ ଝଡକୁ ଶ୍ରୀଲଙ୍କା ଦ୍ୱାରା ଅସନି ନାମ ଦିଆଯିବ।

ପାଣିପାଗ ବିଭାଗ କହିଛି ଯେ ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗରେ ପ୍ରଭାବ ଦେଖାଇବା ପରେ ଏହି ସାଇକ୍ଲୋନିକ ଝଡ଼ ୨୩ ମାର୍ଚ୍ଚରେ ବାଂଲାଦେଶ ଏବଂ ମ୍ୟାନମାରର ଶେଷ ଭାଗରେ ପହଞ୍ଚିବ। ପାଣିପାଗ ବିଭାଗର ସୂଚନାନୁସାରେ, ଗୁରୁବାର ଏବଂ ଶୁକ୍ରବାର ଦିନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସମୁଦ୍ରର ଗତିବିଧି ତୀବ୍ର ହେବାର ସମ୍ଭାବନା ରହିଛି। ତେଣୁ, ସତର୍କ ସୂଚନା ସ୍ବରୂପ ପାଣିପାଗ ବିଭାଗ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ବୁଧବାର ଦକ୍ଷିଣ ଭାଗ ତଥା ବଙ୍ଗୋପସାଗରର ଦକ୍ଷିଣ ଅଞ୍ଚଳରେ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରରେ ମାଛ ଧରିବାକୁ ନ ଯିବାକୁ ପରାମର୍ଶ ଦେଇଛି।

ଶନିବାର ଏବଂ ମଙ୍ଗଳବାର ମଧ୍ୟରେ ଆଣ୍ଡାମାନ ସାଗରରୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜକୁ ନ ଯିବାକୁ ପାଣିପାଗ ବିଭାଗ ମଧ୍ୟ ପରାମର୍ଶ ଦେଇଛି। ରବିବାର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ପବନ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁଯାୟୀ, ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୦ ରୁ ୮୦ କିଲୋମିଟର ହୋଇପାରେ ଯାହା ପରଦିନ ଘଣ୍ଟା ପ୍ରତି ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ତେବେ ସାଇକ୍ଲୋନିକ ପରିସ୍ଥିତି ଯଦି ଝଡ଼ରେ ପରିଣତ ହୁଏ ତେବେ ଏହା ବିପଜ୍ଜନକ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି।

Share