ଭୁବନେଶ୍ୱର,୧୦।୫(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ଭୟଙ୍କର ବାତ୍ୟାରେ ପରିଣତ ହୋଇଛି। ଏବେ ଏହା ଉପକୂଳମୁହାଁ ହୋଇଛି। ‘ଅସାନି’ ପ୍ରଭାବରେ ମଙ୍ଗଳବାର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତା ୩ ଦିନ ଧରି ଉପକୂଳ ୭ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। କିଛି ଜିଲ୍ଲାରେ ଘଣ୍ଟା ପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ମେ ୧୧ରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ। ସେହିଭଳି ମେ ୧୨ରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ୧୨ରେ ପାରାଦୀପ ନିକଟରେ ଦୁର୍ବଳ ହୋଇ ବାତ୍ୟା ରୂପରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବାତ୍ୟା ‘ଅସାନି’ଗୋପାଳପୁରଠାରୁ ୫୧୦ କିମି ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ଏବଂ ପୁରୀଠାରୁ ୫୯୦କିମି ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି। ବର୍ତମାନ ଏହାର ଗତି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୨କିମି ରହିଛି।