‘ଅସାନି’ ପ୍ରଭାବ: ଚାଷୀଙ୍କୁ ସତର୍କ କରାଇଲେ କୃଷି ମନ୍ତ୍ରୀ

ଭୁବନେଶର,୧୦।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ଅସାନି’କୁ ଦୃଷ୍ଟିରେ ରଖି ଚାଷୀଙ୍କୁ କୃଷି ମନ୍ତ୍ରୀ ଅରୁଣ ସାହୁ ସତର୍କ କରାଇଛନ୍ତି । ଏହାର ପ୍ରଭାବରେ ଚାଷୀ ଯେପରି କ୍ଷତିଗ୍ରସ୍ତ ନ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ କ୍ଷୟକ୍ଷତି ଉପରେ ନଜର ରଖିବାକୁ କୁହାଯାଇଛି।

ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଅସାନି’ଏବେ ଉପକୂଳ ମୁହାଁ ହୋଇଛି। କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବାତ୍ୟା ଏବେ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୪୯୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦କିମି ଦୂରରେ କେନ୍ଦ୍ରୀଭୂତ ଅଛି ଭୀଷଣ ବାତ୍ୟା ‘ଅସାନି’ । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୦ କିମି ବେଗରେ ଗତି କରୁଛି।

Share