ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରିପାରିବେ ଅସାଞ୍ଜ

ଲଣ୍ଡନ,୨୧ା୫: ଆମେରିକାକୁ ପ୍ରତ୍ୟର୍ପଣ ବିରୋଧରେ ଓ୍ବିକିଲିକ୍ସ ଓ୍ବେବ୍‌ସାଇଟ୍‌ର ପ୍ରତିଷ୍ଠାତା ଜୁଲିଅନ୍‌ ଅସାଞ୍ଜ ଅପିଲ୍‌ କରିପାରିବେ ବୋଲି ଲଣ୍ଡନର ଏକ ଅଦାଲତ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ଫଳରେ ୫୨ ବର୍ଷୀୟ ଅସାଞ୍ଜଙ୍କ ଆଇନଗତ ଲଢ଼େଇ ଆହୁରି ଦୀର୍ଘ ହେବାକୁ ଯାଉଛି। ବ୍ରିଟେନ୍‌ ସରକାରଙ୍କ ପ୍ରତ୍ୟର୍ପଣ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବାର ସୁଯୋଗ ରହିଛି ବୋଲି ହାଇକୋର୍ଟ ବିଚାରପତି ଭିକ୍ଟୋରିଆ ଶାର୍ପ ଏବଂ ଜେରେମି ଜନ୍‌ସନ କହିଥିଲେ। ପ୍ରାୟ ୧୫ ବର୍ଷ ପୂର୍ବେ ଆମେରିକାର କେତେକ ଗୋପନ ଦସ୍ତାବିଜ୍‌କୁ ଅସାଞ୍ଜ ତାଙ୍କ ଓ୍ବେବ୍‌ସାଇଟ୍‌ରେ ପ୍ରଘଟ କରିବାରେ କମ୍ପ୍ୟୁଟରର ଦୁରୁପଯୋଗ ଅଭିଯୋଗ ସହ ସେ ୧୭ଟି ଗୁପ୍ତଚରଗିରି ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ଅଷ୍ଟ୍ରେଲିଆର ଏହି କମ୍ପ୍ୟୁଟର ବିଶେଷଜ୍ଞ ଲଣ୍ଡନସ୍ଥିତ ଇକ୍ୟୁଏଡର ଦୂତାବାସ ଶରଣରେ ୭ ବର୍ଷ ରହିବା ପରେ ୫ ବର୍ଷ ହେଲା ଲଣ୍ଡନର ହାଇସିକ୍ୟୁରିଟି ବେଲମାର୍ଶ କାରାଗାରରେ ରହିଛନ୍ତି।
ଗୁପ୍ତଚର ବୃତ୍ତି ଅଭିଯୋଗରେ ଯଦି ଅସାଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ କରାଯାଏ, ତେବେ ସେଠାରେ ତାଙ୍କୁ ସାମ୍ବାଦିକତା ଅଧିକାରର ସୁରକ୍ଷା ମିଳିବା ଆବଶ୍ୟକ। ଆମେରିକା ଏଥିପାଇଁ ପର୍ଯ୍ୟାପ୍ତ ପ୍ରତିଶ୍ରୁତି ଦେଇ ନ ଥିବା ଅସାଞ୍ଜଙ୍କ ଓକିଲ ଏଡ୍‌ଓ୍ବାଡ ଫିଜ୍‌ଗରାଲ୍ଡ ଅଦାଲତଙ୍କୁ ଜଣାଇଥିଲେ। ଆମେରିକାର ବିଭିନ୍ନ ତଥ୍ୟ ପ୍ରକାଶ କରିବାରେ ଜଣେ ସାମ୍ବାଦିକ ଭାବେ ତାଙ୍କ ଅଧିକାରକୁ ସୁରକ୍ଷା ମିଳିବା ଆବଶ୍ୟକ, ଯେଉଁ ଗ୍ୟାରେଣ୍ଟି ଦେବାରେ ପ୍ରସିକ୍ୟୁଟରମାନେ ବିଫଳ ହୋଇଥିବା ଫିଜ୍‌ଗରାଲ୍ଡ କହିଥିଲେ। ଗୁପ୍ତଚର ବୃତ୍ତି ଅଭିଯୋଗରେ ବିଚାରର ସମ୍ମୁଖୀନ ହେବା ଲାଗି ଅସାଞ୍ଜଙ୍କୁ ଯଦି ଆମେରିକା ପଠାଯାଏ ତେବେ ଲଣ୍ଡନ ହାଇକୋର୍ଟରେ ଶୁଣାଣିର ଶେଷ ହୋଇପାରେ କିମ୍ବା ପ୍ରତ୍ୟର୍ପଣ ବିରୋଧରେ ତାଙ୍କୁ ଅପିଲ ପାଇଁ ଆଉ ଏକ ସୁଯୋଗ ଦିଆଯାଇପାରେ। ଅସାଞ୍ଜ ଆମେରିକାରେ ବିଚାରର ସମ୍ମୁଖୀନ ହେଲେ ତାଙ୍କ ଅଧିକାର କ୍ଷୁଣ୍ଣ ନ ହେବା ନେଇ ଓ୍ବାଶିଂଟନର ଅଧିକାରୀମାନଙ୍କ ପ୍ରତିଶ୍ରୁତି ଉପରେ ବିଚାରପତି କେତେ ଗୁରୁତ୍ୱ ଦେଉଛନ୍ତି, ତାହା ଉପରେ ସବୁକିଛି ନିର୍ଭର କରୁଛି। ଓ୍ବିକିଲିକ୍ସରେ ପ୍ରକାଶ ପାଇଁ ଆମେରିକାର କୂଟନୈତିକ କେବୁଲ ଏବଂ ସାମରିକ ଫାଇଲ ଚୋରି କରିବାରେ ଅସାଞ୍ଜ ସେଠାର ସେନା ଗୋଇନ୍ଦା ବିଶ୍ଳେଷକ ଚେଲସିଆ ମାନିଙ୍ଗ୍‌ଙ୍କୁ ପ୍ରୋତ୍ସାହିତ ଓ ସହଯୋଗ କରିଥିଲେ ବୋଲି ଯୁକ୍ତରାଷ୍ଟ୍ରର ପ୍ରସିକୁ୍ୟୁଟରମାନେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଅସାଞ୍ଜଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ, ଜଣେ ସାମ୍ବାଦିକ ଭାବେ ଅସାଞ୍ଜ ଇରାକ ଓ ଆଫଗାନିସ୍ତାନରେ ଆମେରିକା ସେନା କରିଥିବା ଭୁଲ୍‌କୁ ପ୍ରଘଟ କରିଛନ୍ତି। ସେ ରାଜନୈତିକ ପ୍ରେରଣାରେ ଏଭଳି କରିଥିବା ନେଇ ବିଚାରର ସମ୍ମୁଖୀନ ହେଲେ, ତାଙ୍କୁ ନ୍ୟାୟ ମିଳି ନ ପାରେ ବୋଲି ଅସାଞ୍ଜଙ୍କ ଓକିଲ କରିଥିଲେ।

Share