ଆଶାର ଆଲୋକ

କ୍ୟାନ୍‌ସର ଏକ ରୋଗ; ଯାହା ଶରୀରକୁ ଦିଏ ଅସହ୍ୟ ଯନ୍ତ୍ରଣା। ଜୀବନ ମରଣର ଦୋ ଛକିରେ ଧନ୍ଦି ହୁଏ ମଣିଷ। ଭାଙ୍ଗିଯାଏ ମନୋବଳ, ମାଡିବସେ ଅବସାଦର କଳା ଛାଇ। ବେଳେବେଳେ ପିଣ୍ଡରୁ ପ୍ରାଣ ହୋଇଯାଏ ଅଲଗା। କିନ୍ତୁ କେତେଜଣ ଦୁଃସାହସୀ ମଣିଷ କ୍ୟାନସର ଆରମ୍ଭ କରିଥିବା ଯୁଦ୍ଧକୁ ସାହସର ସହ ଲଢି ତା’ ପଞ୍ଝାରୁ ନିଜକୁ ମୁକୁଳାନ୍ତି। ଶେଷରେ ହାର୍‌ମାନେ ଏହି ରୋଗ। ପୁଣିଥରେ ହସିଉଠେ ଜୀବନ। ଆଉ ସେମାନଙ୍କ ସଂଘର୍ଷର କାହାଣୀ ପାଲଟେ ଆଉ କାହା ପାଇଁ ଆଶାର ଆଲୋକ…
କ୍ୟାନ୍‌ସର ରୋଗୀଙ୍କ ସେବାରେ ଫାଇଟର୍‌ ସ୍ବାଗତିକା: କଟକର ଚୁଲ୍‌ବୁଲି ଝିଅ ସ୍ବାଗତିକା ଆଚାର୍ଯ୍ୟ। ଘରେ ସମସ୍ତଙ୍କର ଗେହ୍ଲି। ଓଡିଶୀ ନୃତ୍ୟଠୁ ଆରମ୍ଭ କରି ଖେଳକୁଦ ସବୁଥିରେ ସେ ଥିଲେ ଆଗୁଆ। ଆଖିରେ ଆଖିଏ ସ୍ବପ୍ନ ନେଇ ଖୋଲା ଆକାଶରେ ଡେଣା ମେଲାଇ ଉଡିବାକୁ ଥିଲା ଇଚ୍ଛା। ହେଲେ ମାତ୍ର ୧୯ ବର୍ଷ ବୟସରେ ତାଙ୍କ ଜୀବନରେ ଏମିତି କିଛି ଘଟିଗଲା ଯାହା ତାଙ୍କ ଦୁନିଆକୁ ଓଲଟପାଲଟ କରିଦେଲା। ସ୍ବାଗତିକା କହନ୍ତି, ‘୨୦୧୭, ଅକ୍ଟୋବର ମାସର ଘଟଣା। ମୁଁ ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟରେ ଲ’ ପଢୁଥାଏ। କଲେଜରେ ସ୍ପୋର୍ଟସ ଡେ’ ଥାଏ। ଆଉ ମୁଁ କ଼ଲେଜ କ୍ରିକେଟ୍‌ ଟିମ୍‌ ପାଇଁ ଖେଳୁଥିଲି। ତେଣୁ ସକାଳୁ ଉଠି ପ୍ରାକ୍ଟିସ୍‌ କରୁଥିଲି। ଦିନେ ମୋ ତଣ୍ଟି କାଟିଲା। ଭାବିଲି କିଛି ଇନଫେକ୍ସନ ହେଇଛି। ତେଣୁ ଲୁଣପାଣି ଗାର୍ଗଲିଂ କଲି। ଭିକ୍ସ ଖାଇଲି। କିନ୍ତୁ କମିଲାନି। ଏହାପରେ ବାମପଟ କାନ ତଳେ ଫୁଲିବା ଆରମ୍ଭ ହେଲା। ତେଣୁ ସମ୍‌ ହସ୍ପିଟାଲକୁ ଚେକ୍‌ଅପ୍‌ ପାଇଁ ଗଲି। ସେଠି କହିଲେ ଯେହେତୁ ମୁଁ ବାହାରେ ରହୁଛି, ବାହାରେ ଖାଉଛି, ଟିବି ହେଇଥାଇପାରେ। ଆଉ ପ୍ରଥମେ ଥଣ୍ଡା ପାଇଁ ଆଣ୍ଟିବାୟୋଟିକ୍ସ ଦେଲେ। ମେଡିସିନ ଖାଇବାର ୧୫ ଦିନପରେ ବି ଫୁଲା କମିଲାନି, ବରଂ ବଢିଲା। ଘରକୁ ଆସି ଆଉ ଏକ ହସ୍ପିଟାଲ ଗଲୁ। ସେଠି ମଧ୍ୟ ଡାକ୍ତର କହିଲେ ଟିବି ହୋଇଥିବ। ତେଣୁ ଟିବି ଟେଷ୍ଟ କରାହେଲା। ଥରେ ନୁହେଁ ଅନେକ ଥର କରାହେଲା। ସବୁଥର ନେଗେଟିଭ୍‌ ଆସୁଥିଲା। ତଥାପି ଡିସେମ୍ବରରୁ ଟିବି ମେଡିସିନ୍‌ ଖାଇଲି। ଡାକ୍ତର କହିଲେ ମେଡିସିନ୍‌ ଖାଇବାର କିଛିଦିନ ପରେ ଫୁଲା କମିଯିବ। କିନ୍ତୁ କମିଲାନି। ସେଥିପାଇଁ ମୁଁ ନିଜେ ମୋ ସିମ୍ପଟମ୍‌ସ ଲେଖି ଗୁଗଲରେ ସର୍ଚ୍ଚ କଲି। ଆଉ ଜାଣିପାରଲି ଯେ, ମତେ ‘ଲିମ୍ଫୋମା’ (ଏକ ପ୍ରକାରର କ୍ୟାନ୍ସର) ହେଇଛି। ଡାକ୍ତରଙ୍କୁ ଏ ସମ୍ପର୍କରେ ପଚାରିଲି। କିନ୍ତୁ ଡାକ୍ତର ମୋ ଉପରେ ବିରକ୍ତ ହୋଇ କହିଲେ ତୁ ଡାକ୍ତର ନା ଆମେ। ମେଡିସିନ୍‌ ଖାଆ ଭଲ ହୋଇଯିବ। ଫେବୃୟାରୀ ମାସରେ ମୁଁ ଘରୁ କଲେଜ ଯିବା ଆସିବା କରୁଥାଏ। ଦିନେ କଲେଜରୁ ଘରେ ପହଞ୍ଚତ୍ବା ପରେ ମୁଁ ଅଚେତ୍‌ ହୋଇପଡିଗଲି। କଟକରେ ମୋ ପିଉସାଙ୍କ କ୍ଲିନିକ, ସେଠି ମତେ ନିଆଗଲା। ବ୍ଲଡ ଟେଷ୍ଟ ହେବାପରେ ଜଣାପଡିଲା ଡବଲ୍ୟୁବିସି ୪୦,୦୦୦ ଥିଲା। ୭ଦିନ ସେଠି ଆଡମିଟ୍‌ ହେଲି। ବାପାଙ୍କର ଜଣେ ଭଲ ସାଙ୍ଗ ଯେକି, ପେଡିଆଟ୍ରିକ ଡକ୍ଟର ତାଙ୍କ ଘରେ ଏମିତି କେସ୍‌ ଆଗରୁ ହୋଇଥିଲା। ତେଣୁ ସେ କହିଲେ ବାୟୋପ୍ସି କରେଇବା ପାଇଁ। ୨ଦିନ ଭିତରେ ବାୟୋପ୍ସି କରାହେଲା। ଆଉ ଯେଉଁଦିନ ରିପୋର୍ଟ ଆସିଥିଲା ପ୍ରଥମେ ମୁଁ ହିଁ ଦେଖିଥିଲି ଯେ, ମୋର କ୍ୟାନ୍ସର ଅଛି। କିନ୍ତୁ ତାହା କେଉଁଠି ଥିଲା ଜଣାପଡି ନ ଥିଲା। ତେଣୁ ମୁମ୍ବାଇର ଟାଟା ମୋମୋରିଆଲ ଗଲୁ। ୧୦ଦିନ ପରେ ଜଣାପଡିଲା ନାଜୋଫାରିଙ୍କସ୍‌ ହେଇଛି। ଆଉ ତାହା ଦ୍ୱିତୀୟ ଷ୍ଟେଜ୍‌ରେ ଥିଲା। ଏହି କ୍ୟାନ୍ସର ଭଲ ହେବା ସମ୍ଭାବନା ବହୁତ ଥାଏ। ଡାକ୍ତର କହିଲେ ଏଠି ବହୁତ ରୋଗୀ। ଉପଯୁକ୍ତ ଚିକିତ୍ସା ପାଇ ଭଲ ହେବାକୁ ସମୟ ଲାଗିବ। ତେଣୁ ନିଜ ସହରରେ ଟ୍ରିଟମେଣ୍ଟ ହୁଅନ୍ତୁ। ତେଣୁ କଟକ ଫେରି ସମ୍‌ ହସ୍ପିଟାଲରେ ଆଡମିଟ୍‌ ହେଲି। ମତେ ୩ଟି କେମୋ ଓ ୩୭ ରେଡିଏସନ୍‌ ଦିଆଗଲା। ଏମିତିରେ ୨୦୧୮, ଅଗଷ୍ଟରେ ମୋ ଚିକିତ୍ସା ସରିଲା। ଏବେ ମୁଁ ସୁସ୍ଥ ଅଛି। ହେଲେ ଅନ୍ୟମାନଙ୍କ ପରି ମୁଁ ମୋ ରୋଗକୁ କେବେ ଲୁଚେଇ ରଖି ନ ଥିଲି। କ୍ୟାନ୍ସରର ସବୁ ଷ୍ଟେଜ୍‌ର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲି। ସେତେବେଳେ ମୋ ବାପାମା’ଙ୍କୁ ବହୁତ ଲୋକ ସାନ୍ତ୍ବନା ଦେବା ବଦଳରେ ଡରେଇଥିଲେ। ହେଲେ ମୁଁ ଷ୍ଟ୍ରଙ୍ଗ ଥିଲି। ସେମାନଙ୍କୁ ସାହସ ଦେଇଥିଲି। ଆଉ ରୋଗ ସହ ଲଢିଥିଲି। ଏଥିରେ ମୋ ଡାକ୍ତର ମତେ ବହୁତ ସାହଯ୍ୟ କରିଥିଲେ। ମତେ ଜଣେ ଫାଇଟର୍‌ ସଜେଇଥିଲେ। ଏବେ ମୁଁ ସୁସ୍ଥ ଅଛି। ଆଉ ଗରିବ କ୍ୟାନ୍ସର ରୋଗୀଙ୍କୁ ସାହଯ୍ୟ କରିବା ପାଇଁ ଏକ ଗ୍ରୁପ୍‌ କରିଛି, ଯାହାର ନାଁ ‘ଅୱେକେନ୍‌’। କଟକର ‘ସିଲଭର୍‌ ସିଟି’ ନାମକ ଗ୍ରୁପ, ଯେକି କ୍ୟାନ୍ସର ରୋଗୀଙ୍କ ପାଇଁ କାମ କରନ୍ତି, ତାଙ୍କ ସହ ମିଶି ମଧ୍ୟ ଆମେ କାମ କରୁଛୁ। ଆମ ଗ୍ରୁପର ସଦସ୍ୟ ନିଜେ କିଛି କିଛି ଟଙ୍କା ଦେବା ସହ କିଛି ସଦୟ ବ୍ୟକ୍ତି ବି ବେଳେବେଳେ ଦାନ କରନ୍ତି। ସେହି ଟଙ୍କାରେ ଆମେ କ୍ୟାନ୍ସର ରୋଗୀଙ୍କର କେବେ କେମୋ ଖର୍ଚ୍ଚ ତ କେବେ ଡାକ୍ତରଖାନା ଖର୍ଚ୍ଚ, ପୁଣି କେବେ ସେମାନଙ୍କ ପାଇଁ ପ୍ରୋଟିନ୍‌ ପାଉଡର୍‌ ଓ ଖାଇବା ଖର୍ଚ୍ଚ ବହନ କରୁଛୁ। କରୋନା ସମୟରେ ବି ଯେମିତି ରୋଗୀମାନେ ପ୍ରପର୍‌ ଟ୍ରିଟମେଣ୍ଟ ପାଇପାରିବେ ସେଥିପାଇଁ ବ୍ୟବସ୍ଥା କରୁଛୁ। ଏହି କାମରେ ମୋତେ ଚିକିତ୍ସା କରିଥିବା ଡାକ୍ତର ବହୁତ ସାହାଯ୍ୟ କରୁଛନ୍ତି। ସେମାନେ ଯେତେବେଳେ ଦେଖୁଛନ୍ତି ଆମେ ଟଙ୍କା ଯୋଗାଡ କରି ରୋଗୀଙ୍କ ଚିକିତ୍ସା କରାଉଛୁ, ସେମାନେ କମ୍‌ ଖର୍ଚ୍ଚରେ ଚିକିତ୍ସା କରି ଦେଉଛନ୍ତି। ତେଣୁ ଏକ ଟିମ୍‌ ଭାବେ ଆମେ କାମ କରୁଛୁ।’
ନିଜ ଚିକିତ୍ସା ଟଙ୍କା ସମାଜସେବାରେ ଲଗାଇଛନ୍ତି ବିଜୟଲକ୍ଷ୍ମୀ:
ବିଜୟ ଲକ୍ଷ୍ମୀ କର। ଘର ଭୁବନେଶ୍ୱରର ରସୁଲଗଡରେ। ଦେଖିବାକୁ ବେଶ୍‌ ସ୍ମାର୍ଟ ଓ ସୁନ୍ଦର। ଜଣେ ସମାଜସେବୀଭାବେ ସେ ବେଶ୍‌ ପରିଚିତା। ତା’ସହ ନିଜ ଫାଇନାନ୍ସ କମ୍ପାନୀ କଥା ବି ବୁଝନ୍ତି। ସବୁବେଳେ ମୁହଁ ତାଙ୍କର ହସହସ। ତେବେ ଏଇ ହସ ହସ ମୁହଁ ତଳେ ଲୁଚି ରହିଛି ଦୀର୍ଘବର୍ଷର ଯନ୍ତ୍ରଣା। କାରଣ ୧୧ ବର୍ଷ ହେବ ସେ ସଂଘର୍ଷ କରି ଚାଲିଛନ୍ତି କ୍ୟାନ୍ସର ସହ। ତଥାପି ଭାଙ୍ଗିନି ତାଙ୍କର ମନୋବଳ। ପାଳିତ ଭିନ୍ନକ୍ଷମ ପୁଅ କଥା ବୁଝିବା ସହ ସମାଜସେବା କରିଚାଲିଛନ୍ତି। ବିଜୟ ଲକ୍ଷ୍ମୀ କହନ୍ତି, ‘୨୦୦୯ ମସିହାରେ ମୋ ଦେହ କାହିଁକି କେଜାଣି ଖରାପ ହେବାକୁ ଲାଗିଲା। ଆଉ ଦ୍ରୁତ ବେଗରେ ଓଜନହ୍ରାସ ହେବାକୁ ଲାଗିଲା। ସେତେବେଳେ ମତେ ବୟସ ୪୬-୪୭ ବର୍ଷ ହେବ। ତେଣୁ ଓଜନ ହ୍ରାସକୁ ମୁଁ ଏତେ ଗୁରୁତ୍ୱ ଦେଇ ନ ଥିଲି। ଭାବିଲି ଏ ବୟସରେ ଓଜନ ହ୍ରାସ ହେଲେ ଭଲ। କିନ୍ତୁ ମତେ ବହୁତ ହାଲିଆ ଲାଗିବାକୁ ଲାଗିଲା। ସେହି ସମୟରେ ଆମେ ରୋଟାରୀ କନଭେନସନ୍‌ରେ ଯୋଗ ଦେବାକୁ ଆମେରିକା ଯାଇଥାଉ। ସେଠି ମୁଁ ଏତେ ଦୁର୍ବଳ ହେଇଗଲି ଯେ, ଆଦୌ ଚାଲିପାରିଲିନି। ଫେରିବା ପରେ ମୋ ବାମପଟ ତଳି ପେଟରେ ବହୁତ ଯନ୍ତ୍ରଣା ହେଲା। ପେନ୍‌ କିଲର୍‌ ଖାଇ ବି କମିଲାନି। ଯଦିଓ ଆଗରୁ ବି ଅଳ୍ପ ଅଳ୍ପ କାଟୁଥିଲା। କିନ୍ତୁ ସେତେବେଳେ ଯନ୍ତ୍ରଣା ଅସହ୍ୟ ହୋଇଯାଇଥିଲା। ମୁଁ ଜଣେ ଚିହ୍ନା ଡକ୍ଟରଙ୍କ ସହ କଥା ହେଲି। ସେ କହିଲେ ଅଲା୍ଟ୍ରସାଉଣ୍ଡ କରାଅ। ଅଲ୍ଟ୍ରାସାଉଣ୍ଡ କରିବା ପରେ ରିପୋର୍ଟକୁ ମୁମ୍ବାଇ ପଠାଗଲା। ଆଉ ଜଣାପଡିଲା ଯେ, ମତେ ‘ଆକ୍ୟୁଟ୍‌ ମାଏଲୟଡ୍‌ ଲ୍ୟୁକୋମିଆ’ ହେଇଛି। ଏହା ହେଉଛି ବ୍ଲଡ ଓ ବୋନ୍‌ମ୍ୟାରୋ କ୍ୟାନ୍ସର। ପରେ ମୋ ରିପୋର୍ଟ ନେଇ ସ୍ବାମୀ ବମ୍ବେ ଗଲେ ଓ ପ୍ରସିଦ୍ଧ ଅଙ୍କୋଲୋଜିଷ୍ଟ ଡା. ଆଡଭାନୀଙ୍କୁ ଦେଖେଇଲେ। ସେ କହିଲେ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ ହେବ। ଏଥିରେ ପ୍ରାୟ ୪୦-୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏତେ ଟଙ୍କା ଖର୍ଚ୍ଚ କରିବାକୁ ମୁଁ ଚାହିଁ ନ ଥିଲି। ମେଡିସିନ୍‌ରେ ଚିକିତ୍ସିତ ହେବାକୁ ନିଷ୍ପତ୍ତି ନେଲି। ଡାକ୍ତର କହିଲେ ୧୧-୧୨ ମାସ ବଞ୍ଚତ୍ବି। ସେତେବେଳେ ମୋ ଭିନ୍ନକ୍ଷମ ପୁଅ(ପାଳିତ) ଯେ କି ଦୃଷ୍ଟିହୀନ ସହ ପକ୍ଷାଘାତର ଶିକାର, ତାକୁ ମାତ୍ର ୨ ବର୍ଷ ବୟସ ହୋଇଥାଏ। ମୁଁ ଯତ୍ନ ନ ନେଇପାରିବାରୁ ତା’ ନିଜ ବାପାମା’ଙ୍କୁ ପାଖକୁ ନେଇ ଆସିଲି। ଭିନ୍ନକ୍ଷମ ପୁଅର ଯତ୍ନ ନେବା ପାଇଁ ନେଇଥିବା ସ୍ବତନ୍ତ୍ର ତାଲିମ୍‌ ତା’ ମା’କୁ ଶିଖେଇଲି। ଫିଜିଓଥେରାପୀ ବି ଶିଖେଇଲି। ଏପଟେ ଚିକିତ୍ସା ବି ଚାଲିଥାଏ। ଦୃଢମନୋବଳ ନେଇ ସଂଘର୍ଷ କରିଚାଲିଲି। ଆଉ ୟା’ ମଧ୍ୟରେ ୧୧ ବର୍ଷ ବିତିଗଲାଣି। ରୋଗ ସହ ଜିଇବା ଏବେ ମୁଁ ଶିଖିଯାଇଛି। ହେଲେ କେବେ ରୋଗକୁ ଲୁଚାଇ ନାହିଁ। ସବୁବେଳେ ଖୋଲାଖୋଲି ଏ ସମ୍ପର୍କରେ କହେ ଓ ନିଜର ଉଦାହରଣ ଦିଏ। ମତେ ଦେଖି ଅନେକେ ଭାବନ୍ତି,‘ସେ ଯଦି ଏତେ ବର୍ଷ ରୋଗ ସହ ଲଢିପାରିଛନ୍ତି ତ ଆମେ କାହିଁକି ଭାଙ୍ଗି ପଡିବୁ। ଆମେ ବି ଏହି ରୋଗ ସହ ଲଢିପାରିବୁ।’ ଆଉ ସଂକଳ୍ପ କରିଛି ଯେତେଦିନ ବଞ୍ଚତ୍ବି ଅନ୍ୟକୁ ସାହାଯ୍ୟ କରିଚାଲିବି। ଅପରେସନ୍‌ରେ ଟଙ୍କା ଖର୍ଚ୍ଚ ନ କରି ତାକୁ ଅନ୍ୟଙ୍କୁ ସାହାଯ୍ୟ କରିବାରେ ଖର୍ଚ୍ଚ କରିପାରୁଛି ଭାବି ଅନେକ ସମୟରେ ଆତ୍ମସନ୍ତୋଷ ମିଳେ। ମୋ ନଜରକୁ ଯିଏବି ଅସହାୟ ବ୍ୟକ୍ତି ଆସନ୍ତି ତାଙ୍କୁ ଯେମିତି ହେଲେ ସାହାଯ୍ୟ କରିବାକୁ ଚେଷ୍ଟା କରେ। ଏସିଡ ଆଟାକ୍‌ର ଶିକାର ହୋଇଥିବା ପ୍ରମୋଦିନୀ ରାଉଳଙ୍କ ଗୋଟିଏ ଆଖିର ସର୍ଜରି ପାଇଁ ୮୦ ହଜାର ଟଙ୍କା ଦରକାର ଥିଲା। ମୁଁ ତାଙ୍କୁ ୫୦,୦୦୦ ଟଙ୍କା ଦେବା ସହ ରୋଟାରୀ କ୍ଲବର ସଦସ୍ୟଙ୍କୁ ନିବେଦନ କରି ସର୍ବମୋଟ ୯୦,୦୦୦ ଟଙ୍କା ଦେଇଥିଲୁ। ଅପରେସନ୍‌ ପରେ ସେ ଦେଖିବାରେ ସକ୍ଷମ ହେଲେ। ଆଉ ମୋତେ ଦେଖା କରିବାକୁ ବି ଆସିଥିଲେ। ସେହିଭଳି ଗରିବ ମେଧାବୀ ଛାତ୍ରୀଙ୍କ ପଢାଖର୍ଚ୍ଚ ବହନ ସହ ମେଧାବୃତ୍ତି ବି ଦେଉଛି। ମୋ ପକ୍ଷରେ ଯାହା କରିପାରିବି ତାହା କରିଚାଲିବି।’
ଅନ୍ୟ ମୁହଁରେ ଖୁସି ବାଣ୍ଟିବା ଏବେ ମୋ ଜୀବନର ଲକ୍ଷ୍ୟ: ସବୁ ସକାଳକୁ ସେ ନୂଆ କରି ଜିଅନ୍ତି। ଦିନଟି ହସଖୁସିରେ କଟିଯାଉ ସେଥିପାଇଁ ପ୍ରୟାସ କରନ୍ତି। କାରଣ ନିଜ ଲୋକଙ୍କ ମୁହଁରେ ଚେନାଏ ହସ ଦେଖିଦେଲେ ତାଙ୍କର ଦିନ ଭଲରେ କଟିଯାଏ। ସେଇଥିପାଇଁ ତ କର୍ମଜୀବୀ ପତ୍ନୀଙ୍କ ଛୁଟିଦିନରେ ନିଜେ ସକାଳ ଚା’ ତିଆରି କରି ସିଟି ବଜେଇ ବଜେଇ ସ୍ତ୍ରୀଙ୍କ ପାଖକୁ ଆସନ୍ତି। ଆଉ ସପ୍ତାହ ଶେଷରେ ଏଭଳିଭାବେ ମର୍ଣ୍ଣିଂ ଟି’ ପାଇ ସୁନ୍ଦର ହସଟିଏ ଖେଳିଯାଏ ତାଙ୍କ ପତ୍ନୀଙ୍କ ଚେହେରାରେ। ସବୁ ସୁଖଦୁଃଖରେ ସାଥ୍‌ ଦେଇଥିବା ମଣିଷଟିକୁ ଖୁସିରେ ଦେଖିଦେଲେ ଜିଇବାର ସାହସ ଜୁଟେ ବୋଲି କହନ୍ତି, ପ୍ରୋଷ୍ଟେଟ୍‌ କ୍ୟାନ୍ସରରେ ପୀଡିତ ଭବାନୀ ଶଙ୍କର ପାଣି। ବର୍ତ୍ତମାନ ଭୁବନେଶ୍ୱରର ଆଇଆର୍‌ସି ଭିଲେଜ୍‌ରେ ରହୁଥିବା ଭବାନୀଶଙ୍କର ଦିନେ ନାଲ୍‌କୋରେ ଡିଜିଏମ୍‌୍‌ ପ୍ରୋଜେକ୍ଟସ ଭାବେ କାର୍ଯ୍ୟରତ ଥିଲେ। ପରେ ସେ ଭଲ୍ୟୁଣ୍ଟାରୀ ରିଟାୟରମେଣ୍ଟ ନେଇ ନିଜର ବ୍ୟବସାୟ ପ୍ରୋଜେକ୍ଟ ଇଞ୍ଜିନିୟରିଂ କନ୍‌ସଲଟାନ୍ସି ଆରମ୍ଭ କରିଥିଲେ। ତା’ସହ ୟୁନିଭର୍ସିଟିରେ ପିଲାଙ୍କୁ ବି ପଢାଉଥିଲେ। ପୁଅ ବୋହୂ ଆମେରିକାରେ ରୁହନ୍ତି। ଭବାନୀ ଶଙ୍କର କହନ୍ତି, ‘ସବୁକିଛି ଠିକ୍‌ ଚାଲିଥିଲା। ହେଲେ ଦେଢ ବର୍ଷ ତଳେ ରେଗୁଲାର ଚେକଅପ୍‌ର ରିପୋର୍ଟ ଦେଖି ଡକ୍ଟର କହିଲେ ମୋର ଇଏସ୍‌ଏ ରିପୋର୍ଟ ତିନି ବର୍ଷହେବ ହାଇ ରହୁଛି। ତେଣୁ ଭଲରେ ଚେକ୍‌ ଅପ୍‌ କରିବାକୁ ହେବ। ସେଥିପାଇଁ ମୁଁ ଆମ୍‌ରିରେ ଟେଷ୍ଟ କରେଇଲି। ହେଲେ ସେଠି କିଛି ଜଣାପଡିଲା ନାହିଁ। ଏମ୍‌ସରେ ଟେଷ୍ଟ କରେଇଲି। ସେଠି ପ୍ରୋଷ୍ଟେଟ୍‌ରେ ବାୟୋପ୍ସି କରାଇବାକୁ କହିଲେ। ୧୦-୧୫ ଦିନ ପରେ ରିପୋର୍ଟ ଆସିଲା। ଆଉ ଜଣାପଡିଲା ମୋର ପ୍ରୋଷ୍ଟେଟ୍‌ କ୍ୟାନ୍ସର ଅଛି। ସେ ପୁଣି ତୃତୀୟ ଷ୍ଟେଜ କ୍ରସ୍‌ କଲାଣି। ସେତେବେଳେ ମତେ ବୟସ ୬୯। ମନ କଷ୍ଟ ହେଉଥାଏ। ଡର ବି ଲାଗୁଥାଏ। ଏମ୍ସର ଅଙ୍କୋଲୋଜି ଟିମ୍‌ ପରାମର୍ଶ ଦେଲେ ବାଙ୍ଗାଲୋରରେ ଚିକିତ୍ସା କରାଇବାକୁ। ଆଉ ନିଜେ ସେଠାକାର ଡକ୍ଟରଙ୍କ ସହ କଥାହୋଇ ଡେଟ୍‌ ଫିକ୍ସ କରିଦେଲେ। ଆମେ ବାଙ୍ଗାଲୋର ଗଲୁ। ସେଠି ଜଣେ ଯୁବ ଡାକ୍ତର ଥିଲେ। ସେ ମୋ ଦୁଃଖଭରା ମୁହଁ ଦେଖି କହିଲେ, ‘ମୁହଁ ଏମିତି ଲମ୍ବା କାହିଁକି ହେଇଯାଇଛି। ଭଗବାନଙ୍କୁ ଧନ୍ୟବାଦ ଦେବାକଥା ଯେ, ଏତେ ବର୍ଷ ଆପଣ ନୀରୋଗ ଓ ଖୁସିର ଜୀବନ ବିତେଇଛନ୍ତି, ଯାହା କି ବହୁତ କମ୍‌ ଲୋକଙ୍କ ଭାଗ୍ୟରେ ଥାଏ। ଆଉ ରହିଲା ରୋଗ କଥା, ତାହା ମୋ ଉପରେ ଛାଡିଦିଅନ୍ତୁ।’ ତାଙ୍କ ମେଣ୍ଟାଲ୍‌ ସପୋର୍ଟ ମତେ ଜିଇବାର ନୂଆ ରାହା ଦେଲା। ପ୍ରଥମ ଷ୍ଟେଜ୍‌ର ଟ୍ରିଟମେଣ୍ଟ ବହୁତ କଷ୍ଟଦାୟକ ଥିଲା। ଦେଢ ମାସର ଚିକିତ୍ସା ପରେ ଭୁବନେଶ୍ୱର ଆସିଲୁ। ଏମ୍‌ସରେ ଟ୍ରିଟମେଣ୍ଟ ଚାଲିଛି। ହେଲେ ମନରେ ନା ଦୁଃଖ ଅଛି ନା ଭୟ। କାରଣ ମୁଁ ଯଦି ଚିନ୍ତା ଓ ଦୁଃଖରେ ରହିବି ପରିବାର ଲୋକେ ଭାଙ୍ଗିପଡିବେ। ତେଣୁ ମୁଁ ମୋର ଅଧିକାଂଶ ସମୟ ବଗିଚା କାମରେ ବିତାଉଛି। ମୋ ବଗିଚାରେ ୭୦ ପ୍ରକାରରୁ ଊର୍ଦ୍ଧ୍ୱ ପ୍ରକାରର ଫୁଲ ଗଛ ଅଛି। ଏହାବାଦ୍‌ ଲେଖାଲେଖିରେ ବି ବ୍ୟସ୍ତ ରହୁଛି। ଇଂଲିଶ ଭାଷାରେ ମୋର ବହି ପ୍ରକାଶ ପାଇଛି। ନେଟ୍‌ଫ୍ଲିକ୍ସରେ ଫିଲ୍ମ ବି ଦେଖୁଛି। ତା’ଛଡା ଏବେ ମୁଁ ଅନ୍ୟ କ୍ୟାନ୍ସର ପୀଡିତଙ୍କୁ ଦେଖିଲେ ସେମାନଙ୍କ ମନର ଭୟ ଦୂର କରି ହସ ଫୁଟାଇବାକୁ ଚେଷ୍ଟା କରୁଛି। ତା’ସହ ଯିଏବି ସାହାଯ୍ୟ ଚାହାନ୍ତି ତାଙ୍କୁ ସାହାଯ୍ୟ କରୁଛି।
-ଶିବାନୀ ମହାନ୍ତି