Categories: ବାଣିଜ୍ୟ

ଏଏସ୍‌ବିଏମ୍‌ର ଶିକ୍ଷାରମ୍ଭ ଉତ୍ସବ ‘ଆକାଂକ୍ଷା’

ଭୁବନେଶ୍ୱର,୩।୯: ଏଏସ୍‌ବିଏମ୍‌ ୟୁନିଭର୍ସିଟିର ଶିକ୍ଷାରମ୍ଭ ଉତ୍ସବ ‘ଆକାଂକ୍ଷା’ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ୨୦୨୩-୨୪ ଶିକ୍ଷାବର୍ଷର ନୂତନ ବ୍ୟାଚ୍‌ ଶିକ୍ଷାଦାନ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୁକ୍ତରାଷ୍ଟ୍ର ଆମେରିକାର ୱାଡେନ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଡଗ୍ଲାସ୍‌ ଗିଲ୍‌ବର୍ଟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଓକାକ୍‌ ପରିଚାଳନା ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡା ଏବଂ ଏଏମ୍‌ଏନ୍‌ଏସ୍‌ର ନିର୍ବାହୀ ନିର୍ଦ୍ଦେଶକ ରାଜୀବ ଭଟ୍ଟନାଗର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା କୁଳାଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ନବାଗତ ଛାତ୍ରୀଛାତ୍ରମାନଙ୍କୁ ସ୍ବାଗତ କରିବା ସହ ଉତ୍ସବର ଆଭିମୁଖ୍ୟ ଏବଂ ଶିକ୍ଷାନୁଷ୍ଠାନର ବିଭିନ୍ନ ଦିଗ ଓ ସଫଳତା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ସେହିଭଳି ନବାଗତ ଛାତ୍ରୀଛାତ୍ରମାନଙ୍କୁ ସମ୍ବୋଦିତ କରି କହିଥିଲେ, ଶୀର୍ଷରେ ପହଞ୍ଚତ୍ବା ପଛରେ ନ ଧାଇଁ ଉତ୍କର୍ଷ ପ୍ରତିପାଦନ କରିବା ପାଇଁ ସେ ଉପସ୍ଥିତ ସମସ୍ତ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ପରିଶେଷରେ କୁଳାଧ୍ୟକ୍ଷ ନିମନ୍ତ୍ରିତ ଅତିଥିମାନଙ୍କୁ ବିଶ୍ୱବିଦ୍ୟାଳୟର ଫଳକ ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ। ଅପରପକ୍ଷରେ ବିଶ୍ୱବିଦ୍ୟାଳୟର ଏକାଡେମିକ୍‌ ଡିନ୍‌ ପ୍ରଫେସର ପଦ୍ମନାଭ ମହାପାତ୍ର ସଭା ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୁଳପତି ପ୍ରଫେସର ରଞ୍ଜନ କୁମାର ବଳ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସର୍ବଶେଷରେ ସହକାରୀ ଡିନ୍‌ ପ୍ରଫେସର ଅଭିଜିତ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଉତ୍ସବରେ ବିଶ୍ୱବିଦ୍ୟାଳୟର ଉପ କୁଳାଧ୍ୟକ୍ଷ ପ୍ରଫେସର କଲ୍ୟାଣ ଶଙ୍କର ରାୟ, ଉପକୁଳପତି ପ୍ରଫେସର ଫଲ୍‌ଗୁ ନିରଞ୍ଜନା, ପ୍ରିନ୍ସିପାଲ ଡାଇରେକ୍ଟର ଡ.ସ୍ମାରକୀ ପଟ୍ଟନାୟକଙ୍କ ସମେତ ବିଶ୍ୱବିଦ୍ୟାଳୟର କୁଳସଚିବ ଏବଂ ବିଭିନ୍ନ ସ୍କୁଲର ଡିନ୍‌, ଅଧ୍ୟାପିକା ଅଧ୍ୟାପକ, ନିମନ୍ତ୍ରିତ ଅତିଥି ଓ ସମସ୍ତ ଛାତ୍ରୀଛାତ୍ରୀ ଯୋଗଦାନ କରିଥିଲେ। ପରିଶେଷରେ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Share