ଆଶ୍‌ ପାଇପ ଫାଟି ରାସ୍ତା ଅବରୋଧ

କଣିହାଁ,୩୦।୬(ସଚିଦାନନ୍ଦ ପ୍ରଧାନ): କଣିହାଁ  ବ୍ଲକସ୍ଥିତ ଏନ୍‌ଟିପିସି ପ୍ରକଳ୍ପର ଏକ ଆଶ୍‌ ପାଇପ ଫାଟି ଯିବାରୁ ଗୁରୁବାର ଅଧଘଣ୍ଟାରୁ ଅଧିକ ସମୟ ଧରି କଣିହାଁକୁ ସଂଯୋଗ କରୁଥିବା କାକୁଡିଆ-ଡେରେଙ୍ଗ ପୂର୍ତ୍ତ ବିଭାଗ ରାସ୍ତାରେ ଯାତାୟତ ବ୍ୟାହତ ହୋଇଥିଲା। ଖବରପାଇ ପ୍ରକଳ୍ପ କର୍ତ୍ତୃପକ୍ଷ ପାଉଁଶ ପାଣି ଛାଡିବା ବନ୍ଦ କରିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପାଇପ୍‌ ଫାଟିଯିବା ସହ ପରିବେଶ ପ୍ରଦୂଷଣ ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଏନ୍‌ଟିପିସି ପ୍ରକଳ୍ପରୁ ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱରେ ୬ଟି ପାଇପ ଲାଇନ ଆଶପଣ୍ଡକୁ ଯାଇଛି। ଅପରାହ୍ନ ୫ଟା ପରେ ଗୋଟିଏ ପାଇପ ଫାଟି ଯାଇଥିଲା। ଉକ୍ତ ଫଟା ପାଇପରୁ ପାଉଁଶ ପାଣି ବାହାରି ରାସ୍ତାରେ ପ୍ରବାହିତ ହେବା ସହିତ ୪ ମିଟର ଉପରକୁ ପାଣି ଉଠିଥିଲା। ଏଥିପାଇଁ ଶତାଧିକ ପଥଚାରୀ ମାଡୁଆ ମନ୍ଦିର ନିକଟସ୍ଥ ରାସ୍ତାର ଉଭୟପାର୍ଶ୍ୱରେ ଗାଡିମୋଟର ଧରି ଅଟକି ରହିଥିଲେ। ଅତ୍ୟାଧୁନିକ ବ୍ୟବସ୍ଥା ସତ୍ତ୍ୱେ ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ଅବହେଳାକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ କରିଛନ୍ତି। ପାଉଁଶ ପରିଚାଳନା ଅଧିକାରୀ ଏ.କେ ସାମଲଙ୍କୁ ଯୋଗାଯାଗ କରିବାରେ ମତାମତ ମିଳିନାହିଁ।