୧୦ ମାସର ଶିଶୁକୁ ସାନିଟାଇଜର ମିଶ୍ରିତ ପାଣି ପିଇବାକୁ ଦେଲେ ଆଶାକର୍ମୀ

ଅଗରତାଲା, ୧୨।୮: ଜଣେ ୧୦ ମାସର ଶିଶୁକୁ ସାନିଟାଇଜର ମିଶ୍ରିତ ପାଣି ପିଇବାକୁ ଦେଇଛନ୍ତି ଆଶାକର୍ମୀ। ଏଭଳି ଏକ ଅଭାବନୀୟ ଘଟଣା ତ୍ରିପୁରାରେ ଦେଖିବାକୁ ମିଳିଛି। ତ୍ରିପୁରାର ଉନାକୋଟି ଜିଲା ସୋନାମୁରୀ ଗ୍ରାମରେ ଏହି ଅଘଟଣ ଘଟିଛି। ଏଠାରେ ଅବସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ରେ ମଙ୍ଗଳବାର ଜଣେ ମହିଳା ତାଙ୍କର ୧୦ ମାସର ଶିଶୁକୁ ପୋଲିଓ ଟୀକାକରଣ ପାଇଁ ନେଇଥିଲେ। ସେଠାରେ ଥିବା ଆଶାକର୍ମୀ ପୁଷ୍ପା ଦାସ ଶିଶୁକୁ ଟୀକା ଦେଇଥିଲେ। ଏହାପରେ ମହିଳା ଜଣଙ୍କ ଆଶାକର୍ମୀ ପୁଷ୍ପାଙ୍କୁ ଶିଶୁ ପାଇଁ ପାଣି ମାଗିଥିଲେ। ପୁଷ୍ପା ଏହି ସମୟରେ ଭୁଲରେ ପାଖରେ ଥୁଆ ହୋଇଥିବା ଏକ ସାନିଟାଇଜର ମିଶା ପାଣିବୋତଲ ମହିଳାଙ୍କୁ ଦେଇଥିଲେ। ଶିଶୁଟି ଏହି ପାଣି ପିଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ଶିଶୁଟିକୁ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ବୋତଲରେ ସାନିଟାଇଜର ମିଶିଥିଲା ବୋଲି ଜଣାପଡ଼ିଥିଲା। ମଙ୍ଗଳବାର ସଂନ୍ଧ୍ୟାରେ ମହିଳା ଜଣଙ୍କ ଏନେଇ କୁମାରଘାଟ ପୋଲିସ ଷ୍ଟେସନରେ ଆଶାକର୍ମୀଙ୍କ ନାମରେ ଅଭିଯୋଗ କରିଛନ୍ତି। ପ୍ରାଥମିକ ତଦନ୍ତରୁ ବୋତଲରେ ସାନିଟାଇଜର ମିଶିଥିବା ଆଶାକର୍ମୀ ଜାଣି ନ ଥିଲେ ବୋଲି ଥାନା ଅଧିକାରୀ ପ୍ରଦୀପ ଦତ୍ତା କହିଛନ୍ତି।

Share