Categories: ମେଟ୍ରୋ

ଆଶାକର୍ମୀଙ୍କୁ ରାସ୍ତାରେ ହାଣିଲେ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଭାଇକୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି କ୍ୟାପିଟାଲ ଥାନା ଅଞ୍ଚଳର ଜଣେ ଆଶାକର୍ମୀ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଲୋକ ମନୋଜଙ୍କୁ ମାଡ ମାରୁଥିବା ବେଳେ ଭଉଣୀ ମଞ୍ଜୁଲତା(ଆଶାକର୍ମୀ) ବିରୋଧ କରିବାରୁ ଜଣେ ଦୁର୍ବୃତ୍ତ ତାଙ୍କୁ ହାଣି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରଞ୍ଜୁଲତାଙ୍କ ଅଭିଯୋଗ କ୍ରମେ ପୋଲିସ ଦଫା ୩୫୧,୨୯୪, ୩୨୬, ୩୦୭, ୩୪ ଆଇପିସିରେ ଏକ ମାମଲା (ନଂ.୪୮୮/୨୧) ରୁଜୁ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ସ୍ଥାନୀୟ ଥାନା ୟୁନିଟ-୬ ତାରିଣୀ ବସ୍ତିର କାଳିଆ ଓରଫ ସୁଶାନ୍ତ ନାୟକ(୪୨)। ଅନ୍ୟ ୩ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଗିରିଜା ସଙ୍କର ଚକ୍ରବର୍ତ୍ତୀ କହିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ତାରିଣୀ ବସ୍ତିରେ ରହୁଥିବା ମନୋଜ ନାୟକ କ୍ୟାପିଟାଲ ହସ୍ପିଟାଲରେ ଚାଲୁଥିବା ଅକ୍ସିଜେନ ପ୍ଲାଣ୍ଟର ସୁୁପର ଭାଇଜର ଭାବେ ଦାୟିତ୍ୱରେ ଅଛନ୍ତି। ଅକ୍ସିଜେନ ପ୍ଲାଣ୍ଟରେ ଚୋରି କରିବାକୁ ନେଇ ବୁଧବାର ରାତିରେ ଅଭିଯୁକ୍ତଙ୍କ ସହ ମନୋଜଙ୍କ ବଚସା ହୋଇଥିଲା। ଏନେଇ ଅଭିଯୁକ୍ତମାନେ ମନୋଜଙ୍କ ଉପରେ ରାଗ ରଖିଥିଲେ। ମନୋଜ ସାହି ରାସ୍ତାରେ ଯାଉଥିବା ସମୟରେ ଅଭିଯୁକ୍ତମାନେ ମନୋଜଙ୍କୁ ଆକ୍ରମଣ କରିଥିଲେ। ମନୋଜ ସାମାନ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଡାକ ପକେଇବାରୁ ତାଙ୍କ ଭଉଣୀ ରଞ୍ଜୁଲତା ଦୌଡି ଆସି ଝଗଡା ସମାଧାନ କରି ଭାଇଙ୍କୁ ନେଇଯାଉଥିଲେ। ସେତିକିବେଳେ ପଛରୁ ଜଣେ ଅଭିଯୁକ୍ତ ଆସି ହାତରେ ଧରିଥିବା ଫାର୍ସାରେ ମଞ୍ଜୁଲତାଙ୍କୁ ଆକ୍ରମଣ କରିଥିଲେ। ମଞ୍ଜୁଲତାଙ୍କ ହାତ, ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

 

Share