Advertisement

ନନ୍ଦିରାରେ ମିଶିଲା ପାଉଁଶ ପାଣି

ବଅଁରପାଳ,୬ା୬(ଡି.ଏନ.ଏ.): ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଠାରେ ଥିବା ନାଲ୍‌କୋର ପାଉଁଶ ପୋଖରୀରୁ ବହୁ ପରିମାଣର ପାଉଁଶ ପାଣି ସୋମବାର ନନ୍ଦିରା ନାଳରେ ମିଶିଛି। ଫଳରେ ଏହି ନାଳ ଉପରେ ନିର୍ଭର କରୁଥିବା ବଳରାମପ୍ରସାଦ, କୁକୁଡାଙ୍ଗ, କୁରୁଡୁଲୁ, ଟେଣ୍ଟଲୋଇ, ଖାମାନା, ପାଣିଓଳା, ତେହେରାନପୁର, କେନ୍ଦୁପଲି, ଦିଗି ସମେତ ଆଖପାଖ ଗ୍ରାମର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନନ୍ଦିରା ନାଳ ଉପରେ ଏସବୁ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଏପରି କି ଗୃହପାଳିତ ପ୍ରାଣୀ ଏହି ନାଳର ପାଣିକୁ ପାନୀୟ ଭାବେ ବ୍ୟବହାର କରନ୍ତି। ସେହିପରି ଟେଣ୍ଟଲୋଇ ସେବାଶ୍ରମରେ ରହୁଥିବା ଛାତ୍ରୀମାନେ ଏହି ନାଳରେ ସ୍ନାନ କରନ୍ତି। ମାତ୍ର ପାଉଁଶ ପାଣି ମିଶିବା ଦ୍ୱାରା ନାଳ ପାଣି ଦୂଷିତ ହେଉଛି। ଏହାକୁ ବ୍ୟବହାର କରି ଲୋକେ ଚର୍ମ ରୋଗ ସହ ବିଭିନ ରୋଗରେ ପୀଡିତ ହେଉଛନ୍ତି। କିନ୍ତୁ ନାଲ୍‌କୋ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଅସନ୍ତୋଷ ଦେଖା ଦେଇଛି। ଏ ସମ୍ପର୍କରେ ବଳରାମ ପ୍ରସାଦର ଯୁବନେତା ଅନିଲ ବେହେରା ଓ ଟେଣ୍ଟଲୋଇ ଗ୍ରାମର ସ୍ବାଗତ ନାଏକ କହିଛନ୍ତି, ନାଲ୍‌କୋ କର୍ତ୍ତୃପକ୍ଷ ବାରମ୍ବାର ନନ୍ଦିରାରେ ପାଉଁଶ ପାଣି ଛାଡି ଦେଉଛନ୍ତି। ଏଥିପାଇଁ ନାଳ ପ୍ରଦୂଷିତ ହେଉଛି। ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏ ନେଇ ବହୁବାର ନାଲ୍‌କୋ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ହେଲେ କୌଣସି ସୁଫଳ ମିଳୁନାହିଁ। ଏ ସମ୍ପର୍କରେ ନାଲ୍‌କୋ ମାନବ ସମ୍ବଳ ଉପମହାପ୍ରବନ୍ଧକ ସୁନୀଲ ମହାପାତ୍ର କହିଛନ୍ତି, ବର୍ଷା ହେବା ଯୋଗୁ ପାଉଁଶ ପୋଖରୀରୁ ସାମାନ୍ୟ ପାଉଁଶ ମିଶା ପାଣି ଉଛୁଳି ନନ୍ଦିରାରେ ମିଶିଛି। ଏଥିରେ ସେମିତି କିଛି ବିଶେଷ ଅସୁବିଧା ହେବନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share