ଲକ୍ଷ୍ନୌ,୮।୧୦: ଲଖିମ୍ପୁର ଖେରି ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ଶୁକ୍ରବାର କ୍ରାଇମବ୍ରାଞ୍ଚ ସାମ୍ନାରେ ହାଜର ହୋଇ ନାହାନ୍ତି। ଆଶିଷ ଏବେ କେଉଁ ସେନେଇ ମଧ୍ୟ କୌଣସି ଖୋଜଖବର ନାହିଁ। କୁହାଯାଉଛି ସେ ଫେରାର୍ ହୋଇ ନେପାଳ ପଳାଇଛନ୍ତି। କାରଣ ତାଙ୍କ ଶେଷ ଲୋକେଶନ୍ ନେପାଳ ଦେଖାଉଛି। ତାଙ୍କ ଗ୍ରାମ ନେପାଳ ସୀମାରେ ରହିଛି। ବନବୀରପୁରରୁ ନେପାଳ ସୀମା ୮-୧୦ କିମି ଦୂରରେ ରହିଛି। ତାଙ୍କ ଭାଇ ଅମିତ ମିଶ୍ରା କହିଛନ୍ତି ଯେ, ଆଶିଷ ଖୁବ୍ଶୀଘ୍ର ଯାଞ୍ଚ୍ରେ ସାମିଲ ହେବେ ଏବଂ ସେ ଯାହା ପ୍ରମାଣ ଦେବା କଥା ଦେଇସାରିଛନ୍ତି।
ଅକ୍ଟୋବର ୩ରେ ଲଖିମ୍ପୁର ଖେରିରେ ଘଟିଥିବା ଘଟଣାରେ ଚାରିଜଣ ଚାଷୀଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ସୁପ୍ରିମକୋର୍ଟ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏହି ମାମଲାରେ ଗିରଫ ହେବା ସମ୍ପର୍କରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ନ୍ୟାୟିକ ଅନୁସନ୍ଧାନ କମିଶନ ଏବଂ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି)ର ସବିଶେଷ ତଥ୍ୟ ମଧ୍ୟ କୋର୍ଟ ମାଗିଛନ୍ତି।