Categories: ଜାତୀୟ

ଲଶ୍କର-ଇ-ତୋଏବାର ଜଣେ ଆତଙ୍କବାଦୀ ଗିରଫ

ବାରମୂଳା,୧୪।୫: ଜମ୍ମୁ-କଶ୍ମୀରରେ ଭାରତୀୟ ସେନାକୁ ଏକ ବଡ଼ ସଫଳତା ମିଳିଛି। ଶନିବାର ଲଶ୍କର-ଇ-ତୋଏବାର ଜଣେ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ଏହି ଆତଙ୍କବାଦୀ ଜମ୍ମୁ-କଶ୍ମୀରର ରଫିଆବାଦ ଓ ସୋପୋରେ ଅଞ୍ଚଳରେ ଥିବା ସୁରକ୍ଷାକର୍ମୀ ଓ ଭିଆଇପିଙ୍କୁ ଟାର୍ଗେଟ କରିବା ପାଇଁ ଯୋଜନା କରୁଥିଲେ। ଗିରଫ ହୋଇଥିବା ଆତଙ୍କବାଦୀ ହନ୍ଦଓ୍ବାଡାର ରିଜଓ୍ବାନ ଶଫୀ ଲୋନ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ସ୍ବତନ୍ତ୍ର ଇନପୁଟର ସୂଚନା ପରେ ରଫିଆବାଦ ସେନା ଓ ପୋଲିସ ମିଶି ରୋହାମାରେ ମିଳିତ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଏହି ଅପରେଶନ୍‌ ସମୟରେ ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ବୋଲି ଭାରତୀୟ ସେନା ପକ୍ଷରୁ ଏକ ସରକାରୀ ବୟାନରେ କୁହାଯାଇଛି। ତାଙ୍କ ନିକଟରୁ ଗୋଳା ବାରୁଦ ସହିତ ଏକ ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଏହି ଆତଙ୍କବାଦୀ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା(ଏଲ୍‌ଇଟି) ପାଇଁ କାମ କରୁଥିଲେ ବୋଲି ସେନା ପକ୍ଷରୁ କୁହାଯାଇଛି। ଏଥିସହ ରଫିଆବାଦ-ସୋପୋର ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଭିିଆଇପିଙ୍କ ଉପରେ ଆକ୍ରମଣ ଏବଂ ହତ୍ୟା କରିବାକୁ ଯୋଜନା କରିଥିଲେ। ଗିରଫ ଆତଙ୍କବାଦୀଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ସୂଚନା ମୁତାବକ, ଆତଙ୍କବାଦୀଙ୍କ ସନ୍ଧାନରେ ସୁରକ୍ଷାକର୍ମୀ ଲଗାତର ଘାଟିରେ ସର୍ଚ୍ଚ ଅପରେଶନ ଚଳାଇଛନ୍ତି।

Share