Categories: ଜାତୀୟ

ନିଜ ବୁଥ୍‌କୁ ବି ବଞ୍ଚାଇପାରିଲେନି ପୂର୍ବତନ ମୁଖ୍ୟମନ୍ତ୍ରୀ ଗେହଲଟ; ଯେଉଁଠି ଦେଇଥିଲେ ଭୋଟ ସେଠାରେ ବି ବାଜି ମାରିଲା ଭାଜପା

ଜୋଧପୁର,୬।୧୨: ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଛି। ବିଶେଷକରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଗଡ଼ରେ ଭାଜପାର ବିପୁଳ ବିଜୟ ଚର୍ଚ୍ଚାର କାରଣ ପାଲଟିଛି। ସରଦାରପୁରା ଆସନର ଯେଉଁ ବୁଥ୍‌ରେ ଗେହଲଟ ମତଦାନ ଦେଇଥିଲେ ସେଠାରେ ମଧ୍ୟ କଂଗ୍ରେସ ଉପରେ ଭାଜପା ଭାରି ପଡ଼ିଛି।

ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗେହଲଟ ରାଜସ୍ଥାନବାସୀଙ୍କୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ। ବିଗତ ୩୫ ବର୍ଷ ଧରି ରାଜ୍ୟରେ ଚାଲି ଆସୁଥିବା ପରମ୍ପରା ନିଶ୍ଚୟ ଭାଙ୍ଗିବ ବୋଲି ଦାବି ମଧ୍ୟ କରିଥିଲେ। ହେଲେ ୫ ବର୍ଷ କଂଗ୍ରେସ, ୫ ବର୍ଷ ଭାଜପାର ପରମ୍ପରା ପୂର୍ବଭଳି ରହିଥିଲା। ଏପରିକି ଗେହଲଟ ଗଡ଼ରେ ଭାଜପା ଦବ୍‌ଦବା ଜାହିର କରିଥିଲା। ଫଳରେ ସେ ନିଜର ଜିଲା ଜୋଧପୁରରେ ବିଜୟ ହାସଲ କରିବାରେ ବିଫଳ ହୋଇଥିଲେ। ଭାଜପା ଜୋଧପୁରର ୧୦ ଆସନରୁ ୮ରେ ବିଜେତା ହୋଇଥିଲା। ମାତ୍ର ୨ଟି ଆସନ କଂଗ୍ରେସ ହାତକୁ ଆସିଥିଲା।

ଗେହଲଟ ସରଦାରପୁରା ଆସନର ବୁଥ ସଂଖ୍ୟା ୧୧୧ରେ ମତଦାନ ଦେଇଥିଲେ। ସେଠାରେ ମଧ୍ୟ କଂଗ୍ରେସ ପଛୁଆ ରହିଥିଲା। ଏହି ବୁଥରେ ଭାଜପାକୁ ୪୬୨ ଭୋଟ ମିଳିଥିବା ବେଳେ କଂଗ୍ରେସ ଖାତାକୁ ଆସିଥିଲା ୪୧୯ ଭୋଟ। ୧୦ ବର୍ଷ ପୂର୍ବେ ରାଜସ୍ଥାନ ବିଧାନସଭା ନିର୍ବାଚନର ଫଳାଫଳରେ ମଧ୍ୟ ଗେହଲଟ ଗଡ଼ ଜୋଧପୁରରେ କଂଗ୍ରେସ ପରାଜିତ ହୋଇଥିଲା। ସେତେବେଳେ କିନ୍ତୁ ସରଦାରପୁରାରେ କଂଗ୍ରେସ ବିଜେତା ହୋଇଥିଲା, ଯେଉଁଠାରେ ନିଜେ ନିର୍ବାଚନ ଲଢ଼ୁଥିଲେ ଗେହଲଟ। ସ୍ପଷ୍ଟ ଭାବେ କହିଲେ ରାଜସ୍ଥାନରେ ଗେହଲଟଙ୍କ ଯାଦୁ ବିଫଳ ହୋଇଛି। ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Share