ଜୟପୁର,୯।୫: ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଭିଯୋଗର ଜବାବ ଦେଇଛନ୍ତି। ସେ କହିଛନ୍ତି, ମୁଁ ଧୌଲପୁରରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଭାଷଣ ଶୁଣିଛି। ଏହା ପରେ ଲାଗୁଛି ଯେ ତାଙ୍କ ନେତା ସୋନିଆ ଗାନ୍ଧୀ ନୁହଁନ୍ତି ବରଂ ବସୁନ୍ଧରା ରାଜେ। ଗୋଟିଏ ପଟେ ଭାଜପା ଆମ ସରକାରକୁ ଖସେଇବାକୁ ଉଦ୍ୟମ କରୁଥିବା କୁହାଯାଉଥିବା ବେଳେ ଅନ୍ୟପଟେ ବସୁନ୍ଧରା ରାଜେ ଆମକୁ ବଞ୍ଚାଇବା କାମ କରୁଛନ୍ତି ବୋଲି କୁହାଯାଇଛି। ଆପଣ କ’ଣ କହିବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ କରିବା ଉଚିତ୍। ଆହୁରି ମଧ୍ୟ ନିଜର ବିଧାୟକଙ୍କୁ ବିକ୍ରୟ କରିଥିବା ଅଭିଯୋଗ କରିବା ଭୁଲ । ଏହା ବିଧାୟକ ଏବଂ ନେତାଙ୍କ ପ୍ରତି ଅପମାନ। ସେମାନେ କେବଳ ସେହିମାନଙ୍କୁ ବଦନାମ କରୁଛନ୍ତି ଯାହାଙ୍କ ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ସଚିନ କହିଛନ୍ତି, ରାଜ୍ୟରେ ବ୍ୟାପିଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଏବଂ ଧାରଣା ମଧ୍ୟ ଦେଇଛି। ହେଲେ ଏହା ପରେ ମଧ୍ୟ ସରକାର ଦୁର୍ନୀତି ବିରୋଧରେ କୌଣସି ପଦକ୍ଷେପ ନେଇନାହାଁନ୍ତି। ମୁଖ୍ୟମନ୍ତ୍ରୀ ମୋ ବିରୋଧରେ ଦେଶଦ୍ରୋହ ମାମଲା ପଞ୍ଜିକରଣ କରିବାକୁ ଚେଷ୍ଟା କରିଥିଲେ। ଏହା ପରେ ମଧ୍ୟ ପାର୍ଟିରେ ଅଛି ଏବଂ ଦିଲ୍ଲୀ ଯାଇ ମୁଁ ମୋର ବାର୍ତ୍ତାକୁ ହାଇକମାଣ୍ଡଙ୍କ ଆଗରେ ରଖିଥିଲି। ଯଦି ମୁଁ ଏବଂ କଂଗ୍ରେସର କିଛି ବିଧାୟକ ସରକାରଙ୍କ ବିରୋଧରେ ଷଡଯନ୍ତ୍ର ରଚିଥିବାର ପ୍ରମାଣ ଅଛି ତେବେ ମୁଖ୍ୟମନ୍ତ୍ରୀ ତାହାକୁ ସାର୍ବଜନୀନ କରିବା ଉଚିତ୍।