Categories: ଜାତୀୟ

ଦୁଇଦିନ ପରେ ଗେହଲଟଙ୍କର ହେବ ଶକ୍ତି ପରୀକ୍ଷା!

ଜୟପୁର,୧୯।୭: ରାଜସ୍ଥାନ ରାଜନୀତିରେ ଆସିଥିବା ପରିବର୍ତ୍ତନ ପରେ ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିଥିଲେ। ଏଥିରେ ସେ ତାଙ୍କ ସମର୍ଥନରେ ଥିବା ବିଧାୟକଙ୍କୁ ନେଇ ଦାବି ଉପସ୍ଥାପନ କରିଥିଲେ। ରାଜଭବନ ପକ୍ଷରୁ ଏହା ଏକ ଔପଚାରିକ ସାକ୍ଷାତ୍‌କାର ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ସୋମବାର ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତାକୁ ନେଇ ରାଜସ୍ଥାନ ହାଇକୋର୍ଟରେ ଶୁଣାଣି ହେବ। ଏହା ପୂର୍ବରୁ କୋର୍ଟ ବାଚସ୍ପତିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ନେଇ ଜାରି କରାଯାଇଥିବା ନୋଟିସକୁ ସ୍ଥଗିତ ରଖିଥିଲେ। ଯଦି ସୋମବାର କୋର୍ଟ ବିଧାୟକଙ୍କ ନୋଟିସକୁ ନେଇ ଶୁଣାଣି କରନ୍ତି ତେବେ ବୁଧବାର ବିଧାନସଭା ଅଧିବେଶନ ଡକାଯାଇପାରେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି ଗେହଲଟ ରାଜ୍ୟପାଳଙ୍କ ସହ ସାକ୍ଷାତ୍‌ କରିବା ସମୟରେ ବିଧାନସଭା ଅଧିବେଶନ ସମ୍ପର୍କରେ ସୂଚନା ଦେଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଗେହଲଟ ତାଙ୍କ ସପକ୍ଷରେ ୧୦୩ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି। ଏମାନଙ୍କ ମଧ୍ୟରୁ କଂଗ୍ରେସର ୮୮ ବିଧାୟକ ରହିଛନ୍ତି। ଅନୁମାନ କରାଯାଉଛି କି ବୁଧବାର ଶକ୍ତି ପରୀକ୍ଷା ପରେ ଗେହଲଟଙ୍କ ସରକାର ଉପରେ ଛାଇ ଯାଇଥିବା କଳା ବାଦଲ ହଟିଯିବା ସହ ସେ ପୁଣିଥରେ ଶାସନ ଡୋର ସମ୍ଭାଳିବେ।

Share