ତାଲିବାନକୁ ବିରୋଧ ନ କରିବାକୁ ଅଶରଫ ଘାନି ନେଇଥିଲେ ୧୧୦ ନିୟୁତରୁ ଅଧିକ ଡଲାର,କତାର ଦେଇଥିଲା ଲାଞ୍ଚ…

କାବୁଲ,୨।୨ : ତାଲିବାନକୁ ବିରୋଧ ନ କରିବା ପାଇଁ କତାର ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆଶରଫ ଘାନିଙ୍କୁ ୧୧୦ ମିଲିୟନ ଡଲାରରୁ ଅଧିକ ଲାଞ୍ଚ ଦେଇଥିଲା। ଇଟାଲୀର ସ୍ଥାନୀୟ ଗଣମାଧ୍ୟମ ଟିଜି-୧ ରାଏ ଏହାର ଅନୁସନ୍ଧାନ ରିପୋର୍ଟରେ ଏହି ସମ୍ବେଦନଶୀଳ ଦାବି କରିଛି। ଏହି ରିପୋର୍ଟରେ ଅଜମଲ ଅହମ୍ମଦଙ୍କ ଦସ୍ତଖତ ହୋଇଥିବା ଏକ ରସିଦ ଦଲିଲ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଯିଏ ସେତେବେଳେ ଘାନିଙ୍କର ସ୍ବତନ୍ତ୍ର ଦୂତ ତଥା ଆଫଗାନିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କର ମୁଖ୍ୟ ଥିଲେ।

୨୦୨୧ ମସିହା ଅଗଷ୍ଟ ୧୫ରେ ତାଲିବାନ ଆଫଗାନିସ୍ତାନର ରାଜଧାନୀରେ ପ୍ରବେଶ କରିବା ପରେ ପୂର୍ବତନ ରାଷ୍ଟ୍ରପତି କାବୁଲ ଛାଡି ପଳାଇଥିଲେ ଏବଂ ବର୍ତ୍ତମାନ ସେ ସଂଯୁକ୍ତ ଆରବ ଏମିରେଟ୍ସରେ ନିର୍ବାସନରେ ରହୁଛନ୍ତି। ତାଙ୍କ ଅନୁପସ୍ଥିତିରେ ତାଲିବାନ ରାଷ୍ଟ୍ରପତି ଭବନକୁ ଦଖଲ କରିବାର ବାଟ ଫିଟିଥିଲା। ପରେ ଘାନି ଆଫଗାନିସ୍ତାନ ନାଗରିକଙ୍କ ନିକଟରେ କ୍ଷମା ମାଗି କହିଥିଲେ ଯେ ରକ୍ତପାତରୁ ଦେଶକୁ ରକ୍ଷା କରିବା ପାଇଁ ଦେଶ ଛାଡ଼ି ପଳାଇଥିଲେ।

ରାଜନୈତିକ ସମାଧାନରେ ପହଞ୍ଚିବା ପୂର୍ବରୁ ପଳାୟନ କରିଥିବାରୁ ତାଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କଡ଼ା ସମାଲୋଚନା କରାଯାଇଥିଲା। ତଥାପି ସେ ନିଜକୁ ଆଫଗାନିସ୍ତାନର ରାଷ୍ଟ୍ରପତି ଭାବେ ବିବେଚନା କରୁଛନ୍ତି। ତାଙ୍କ ସରକାରର ପତନ ପୂର୍ବରୁ ଘାନି ଦାବି କରିଥିଲେ ଯେ ସେ ମୃତ୍ୟୁ ପର୍ଯ୍ୟନ୍ତ ତାଲିବାନ ବିରୁଦ୍ଧରେ ଠିଆ ହେବେ।

ସେ କହିଛନ୍ତି ଯେ ଯେତେବେଳେ କାବୁଲର ପତନ ଘଟିଲା ସେତେବେଳେ ତାଙ୍କର କୌଣସି କାର୍ଯ୍ୟନିର୍ବାହୀ ଶକ୍ତି ନ ଥିଲା। ଘାନି ଗତ ବର୍ଷ ଅଗଷ୍ଟରେ ଏକ ଗଣମାଧ୍ୟମକୁ କହିଥିଲେ ଯେ ସେ ଦେଶ ଛାଡିଥିବା ଶେଷ ବ୍ୟକ୍ତି ଥିଲେ। ସେ ଡ.ନଜୀବଙ୍କ ତିକ୍ତ ଅନୁଭୂତିର ପୁନରାବୃତ୍ତି ନହେବା ପାଇଁ ଏହା କରିଛନ୍ତି। ସେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଜିବୁଲ୍ଲାଙ୍କ ବିଷୟରେ କହୁଥିଲେ। ତାଲିବାନ ଦ୍ୱାରା ପ୍ରଥମେ କାବୁଲକୁ ଦଖଲ କଲାବେଳେ ୧୯୯୬ ରେ ତାଙ୍କୁ ହତ୍ୟା କରାଯାଇଥିଲା ।

ସେ କହିଥିଲେ ଯେ ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ଆଗରେ ପଳାୟନ କରିଛନ୍ତି ଏବଂ କାବୁଲରେ ଥିବା ଆମେରିକା ଦୂତାବାସ ଏହାର କର୍ମଚାରୀ ଏବଂ ଆଫଗାନିସ୍ତାନ ସୁରକ୍ଷା ବାହିନୀକୁ ସ୍ଥାନାନ୍ତର କରିବା ଆରମ୍ଭ କରି ଦେଇଥିଲା। ଘାନି କହିଥିଲେ ତାଙ୍କ ଗୁପ୍ତଚର ମୁଖ୍ୟ ତାଙ୍କୁ ସୂଚନା ପ୍ରଦାନ କରିଥିଲେ ଯେ ଆଫଗାନିସ୍ତାନ ସୈନ୍ୟମାନେ ସେତେବେଳେ ଯୁଦ୍ଧ କରିବାରେ ସମର୍ଥ ନ ଥିଲେ।

Share