ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମୃତକକଙ୍କ ଭଉଣୀ ପ୍ରିୟମ୍ବଦା ବେହେରା ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଓ ପୋଲିସ ତଦନ୍ତର ଦିଗ ବଦଳାଇ ଦୁର୍ଘଟଣା ରୂପ ଦେଉଥିବା ଅଭିଯୋଗ କରିଛନ୍ତି। ଏନେଇ ଗୁରୁବାର ସେ ଏସ୍‌ପି ବରୁଣ ଗୁଣ୍ଟୁପାଲିଙ୍କୁ ଭେଟି ତଦନ୍ତ ଦାବି କରିଛନ୍ତି। ବେତନଟୀ ଏସ୍‌ଡିପିଓ ଘଟଣାର ତଦନ୍ତ କରିବେ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରିୟମ୍ବଦା ଅଭିଯୋଗ କରିଛନ୍ତି ଯେ, ଘଟଣା ରାତିରେ ଆଶୁତୋଷ ସାଙ୍ଗମାନଙ୍କ ସହ କାର୍‌ରେ ବସି ଯାତ୍ରା ଦେଖିବାକୁ ଯାଇଥିଲେ।  ଯାତ୍ରା ଦେଖି ଫେରିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଖବର ପାଇଥିଲେ। ଆଶୁତୋଷଙ୍କ ମୃତ୍ୟୁ ସମୟର ଫଟୋକୁ ଦେଖିବା ପରେ ଏହା ଏକ ହତ୍ୟା ବୋଲି ଭଉଣୀ ପ୍ରିୟମ୍ବଦା ଦାବି କରିଛନ୍ତି।
ଆଶୁତୋଷଙ୍କ ହାତକୁ ଗଞ୍ଜି ଭିତରେ ପୁରାଇ ଦିଆଯାଇଥିବା ଏବଂ ଧଳା ଗଞ୍ଜିରେ କେହି ଗୋଡ଼ରେ ଆଘାତ କରିଥିବା ଚିହ୍ନ ମଧ୍ୟ ରହିଛି। ତାଙ୍କ ଯୌନାଙ୍ଗର ଦୁଇପଟ ଫୁଲିଯାଇଥିବା ବେଳେ ଡାହାଣ ପଟ କାନର ଉପର ଭାଗରେ ମାଡ଼ ହୋଇଥିବା ଦେଖିବାକୁ ମିଳିଥିଲା। ସେହିପରି ମୃତଦେହର କୌଣସି ସ୍ଥାନରେ ଗାଡ଼ି ଚକ ଚଢ଼ିଯିବାର ଚିହ୍ନ ନ ଥିବା ବେଳେ ଘଟଣାସ୍ଥଳରେ ରକ୍ତ ମଧ୍ୟ ପଡ଼ି ନ ଥିଲା ବୋଲି ପ୍ରିୟମ୍ବଦା ଅଭିଯୋଗରେ ଦର୍ଶାଇଛନ୍ତି।
ଅନ୍ୟପକ୍ଷରେ ବିଭିନ୍ନ ଲୋକଙ୍କ ଦ୍ୱାରା ବେତନଟୀ ବାସଭବନରେ ଥିବା ତାଙ୍କ ମା’ ଓ ଭାଉଜଙ୍କୁ ଏହି ଘଟଣା ଦୁର୍ଘଟଣା ବୋଲି ସ୍ବୀକାର କରିବାକୁ ଚାପ ପକାଯାଉଛି ବୋଲି ପ୍ରିୟମ୍ବଦା ଅଭିଯୋଗରେ ଦର୍ଶାଇଛନ୍ତି। ମୃତ୍ୟୁର ୪ଦିନ ବିତିଯାଇଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିପାରି ନାହିଁ। ଯାହାକୁ ନେଇ ସେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୧୩ ତାରିଖ ବଡ଼ି ଭୋର ସମୟରେ ବୈଶିଙ୍ଗା ପୋଲିସ ଆଶୁତୋଷଙ୍କ ମୃତଦେହ ଜବତ କରିଥିଲା। ମୃତକଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ବେହେରାଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସଡ଼କ ଦୁର୍ଘଟଣାରେ ଆଶୁତୋଷଙ୍କ ମୃତ୍ୟୁ ହୋଇଥିବା ନେଇ ପୋଲିସ ତଦନ୍ତର ଦିଗ ଆଗକୁ ବଢ଼ାଇଥିଲା। ଅନ୍ୟପକ୍ଷେ ଦୁର୍ଘଟଣାରେ ଗୁରୁତର ଆହତ ଆଶୁତୋଷଙ୍କୁ ଘଟଣାସ୍ଥଳରେ ଛାଡ଼ି ପଳାଇବା ଦ୍ୱାରା ତାଙ୍କର ମୃତ୍ୟୁ ହେବା ଘଟଣାରେ ପୋଲିସ ତାଙ୍କର ୩ ସାଙ୍ଗ ହରିଶଙ୍କର ତ୍ରିପାଠୀ, ଯଶୋବନ୍ତ ବେହେରା ଓ ଅନିର୍ବାଣ ବାଲାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
Share