ଯେବେ ମହିଳାଙ୍କ ଶୋଷଣ ହୁଏ ମାନବ ଜାତିକୁ ଦେବାକୁ ପଡେ ଏହାର ମୂଲ୍ୟ: ଆଶୁତୋଶ ରାଣା

ମୁମ୍ବାଇ: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବଳାତ୍କାର କରିବା ଓ ସେମାନଙ୍କ ଭିଡିଓ ଭାଇରଲ କରିବା ଘଟଣାକୁ ନେଇ ଏବେ ସାରା ଦେଶରେ କ୍ରୋଧର ନିଆଁ ଜଳୁଛି। ଏବେ ଏହି ଘଟଣାକୁ ନେଇ ସାରା ଦେଶରେ ଦାବି ହେଉଛି କି ଅପରାଧୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ।
ବଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ ଏହି ଘଟଣାକୁ କଡା ନିନ୍ଦା କରିବା ସହ ଆକ୍ରୋଶ ପ୍ରକାଶ କରିଛି। ରୁଚା ଚଢାଙ୍କ ଠାରୁ ଆରମ୍ଭ କରି ଉର୍ମିଳା ମାତୋଣ୍ଡକର, ରେଣୁକା ସାହାଣେଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଏବେ ଏସବୁ ଭିତରେ ଅଭିନେତା ଆଶୁତୋଷ ରାଣାବି ମହିଳାଙ୍କ ଶୋଷଣ ବିରୋଧରେ ନିଜର ସ୍ବର ଉତ୍ତୋଳନ କରିଛନ୍ତି।
ସେ ଟୁଇଟ କରି ନିଜର କ୍ରୋଧ ପ୍ରକାଶ କରିବା ସହ କହିଛନ୍ତି, ଯେବେ ବି ମହିଳାଙ୍କର ଶୋଷଣ ହୋଇଛି ମାନବ ଜାତିକୁ ଏହାର ମୂଲ୍ୟ ଦେବାକୁ ପଡିଛି। କେବଳ ସେତିକି ନୁହେଁ ସେ ଆହୁରି ମଧ୍ୟ ସରକାର ଓ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ଏବେ ଏକାଠି ହୋଇ ରାଷ୍ଟ୍ରର କଲ୍ୟାଣ କଥା ଚିନ୍ତା କରନ୍ତୁ।
ସେ ତାଙ୍କ ଟୁଇଟରେ ଲେଖିଛନ୍ତି, ଇତିହାସ ସାକ୍ଷି ରହିଛି ଯେବେବି କୌଣସି ସ୍ତ୍ରୀଙ୍କୁ ହରଣ କରାଯାଇଛି ବା ଚିରହରଣ କରାଯାଇଛି ଏହାର ମୂଲ୍ୟ ସମ୍ପୂର୍ଣ୍ଣ ମାନବ ଜାତିକୁ ଦେବାକୁ ପଡିଛି। ଯେମିତିକି ସତ୍ୟ, ତପ, ପବିତ୍ରତା ଓ ଦାନ ‘ଧର୍ମ’ର ୪ଟି ଚରଣ ହୋଇଥାଏ ସେମିତି ବିଧାୟିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ପତ୍ରକାରିତା ‘ଲୋକତନ୍ତ୍ର’ର ୪ଟି ଚରଣ ହୋଇଥାଏ।
ତାଙ୍କ ଟୁଇଟରେ ରାଣା ମହିଳାଙ୍କ ପ୍ରତି ହେଉଥିବା ଏଭଳି ବ୍ୟବହାରକୁ ନେଇ ଦୁଃଖ ପ୍ରକାଶ କରିବା ସହ ଲେଖିଛନ୍ତି, ଲୋକତନ୍ତ୍ରର ଏହି ୪ ସ୍ତମ୍ଭ ଗୋଟିଏ ଅନ୍ୟଟି ସହ ଲୟ ମିଶାଇ ଚାଲିବାକୁ ପଡିବ। ତାହେଲେ ଯାଇ ଲୋକଙ୍କୁ ଆମାନୁଷିକ କାର୍ଯ୍ୟର ପ୍ରଳୟର ପାପରୁ ମୁକ୍ତ କରାଯାଇ ପାରିବ।

Share