Categories: ଖେଳ

୪୫ ବର୍ଷର ରେକର୍ଡ ଭାଙ୍ଗିଲେ ଅଶ୍ୱିନ

ବିଶାଖାପାଟନମ୍‌,୫।୨:ଇଂଲଣ୍ଡ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ଜିତିଛି। ବିଶାଖାପାଟନମରେ ଖେଳାଯାଇଥିବା ମ୍ୟାଚକୁ ଭାରତ ୧୦୬ ରନରେ ଜିତିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜକୁ ୧-୧କୁ ଆଣିଛି। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଇଂଲଣ୍ଡ ଜିତିଥିଲା। ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଭାରତ ପାଇଁ ଦ୍ୱିତୀୟ ଟେଷ୍ଟରେ ମୋଟ ୩ଟି ଉଇକେଟ ନେଇଥିଲେ। ଏହି ମ୍ୟାଚ ସମୟରେ ସେ ଏକ ବଡ଼ ସଫଳତା ହାସଲ କରିଥିଲେ।
ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ବୋଲର ହୋଇଥିଲେ ଅଶ୍ୱିନ। ସେ ଏହି ପ୍ରସଙ୍ଗରେ ପୂର୍ବତନ ସ୍ପିନର ଭାଗବତ ଚନ୍ଦ୍ରଶେଖରଙ୍କୁ ଛାଡିଥିଲେ। ଇଂଲଣ୍ଡ ବିପକ୍ଷ ୨୧ଟି ଟେଷ୍ଟରେ ଅଶ୍ୱିନ ୯୭ ଉଇିକେଟ ନେଇଛନ୍ତି। ୧୯୬୪ ରୁ ୧୯୭୯ ମଧ୍ୟରେ ୨୩ଟି ଟେଷ୍ଟରେ ଚନ୍ଦ୍ରଶେଖର ୯୫ ଉଇକେଟ ନେଇଥିଲେ। ଇଂଲଣ୍ଡର ବେନ ଡକେଟଙ୍କୁ ଆଉଟ୍‌ କରି ସେ ଚନ୍ଦ୍ରଶେଖରଙ୍କ ୪୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ବର୍ତ୍ତମାନ ସେ ଇଂଲଣ୍ଡ ଦଳ ବିପକ୍ଷରେ ୧୦୦ ଉଇକେଟ ପୂରଣ କରିବାକୁ ମାତ୍ର ତିନି ପାଦ ଦୂରରେ ଅଛନ୍ତି।
ବିଶାଖାପାଟନମରେ ୪ଟି ଉଇକେଟ ନେଇ ଅଶ୍ୱିନ ଏକ ପ୍ରମୁଖ ସଫଳତା ହାସଲ କରିବାର ସୁଯୋଗ ପାଇଥିଲେ। ସେ ୫୦୦ ଉଇକେଟ ନେଇଥିବା ଦ୍ୱିତୀୟ ଭାରତୀୟ ବୋଲର ହୋଇପାରନ୍ତି, କିନ୍ତୁ ତାହା ହୋଇ ନ ଥିଲା। ବର୍ତ୍ତମାନ ୯୭ଟି ଟେଷ୍ଟରେ ତାଙ୍କ ନାମରେ ୪୯୯ ଉଇକେଟ ଅଛି। ବର୍ତ୍ତମାନ ୫୦୦ ଉଇକେଟ ପୂରଣ କରିବାକୁ ଅଶ୍ୱିନଙ୍କୁ ଅତି କମରେ ୧୦ ଦିନ ଅପେକ୍ଷା କରିବାକୁ ପଡିବ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ୧୫ ଫେବୃଆରୀରୁ ରାଜକୋଟରେ ଖେଳାଯିବ।

Share