Categories: ଖେଳ

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ ସଂଘର୍ଷ କରୁଥିବା ବେଳେ ଅଶ୍ୱିନ ନିଜ ଟେଷ୍ଟ କ୍ୟାରିୟରର ପଞ୍ଚମ ଶତକ ହାସଲ କରିଥିଲେ। ଏହା ସହିତ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୬ ଉଇକେଟ ହରାଇ ୩୩୯ ରନ୍‌ ସଂଗ୍ରହ କରିଛି।

ହସନ ମେହମୁଦଙ୍କ ଘାତକ ସ୍ପେଲ୍‌: ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ଚେନ୍ନାଇର ଲାଲ ମାଟିର ପିଚ୍‌ରେ ସାମାନ୍ୟ ବାଉନ୍ସ ରହିଥିବା ବେଳେ ଭ୍ରମଣକାରୀ ବାଂଲାଦେଶ ପକ୍ଷରୁ ହସନ ମେହମୁଦ ଅଗ୍ନିବର୍ଷୀ ବୋଲିଂ କରିଥିଲେ। ପ୍ରଥମ ସେସନ୍‌ରେ ୫-୨-୬-୩ର ଚମତ୍କାର ସ୍ପେଲ ବୋଲିଂ କରିଥିଲେ। ଏହା ମଧ୍ୟରେ ରୋହିତ ଶର୍ମା(୬), ଶୁବମାନ ଗିଲ୍‌(୦) ଓ ବିରାଟ କୋହଲି(୬)ଙ୍କ ପ୍ରାଇଜ୍‌ ଉଇକେଟ ସାମିଲ ଥିଲା। ପରେ ଯଶସ୍ବୀ ଜୟସ୍ବାଲ(୫୬) ଓ ରିଷଭ ପନ୍ତ(୩୯) ଚତୁର୍ଥ ଉଇକେଟରେ ୬୨ ରନ୍‌ ଯୋଡି ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ। ଲଞ୍ଚ ପରେ ପନ୍ତଙ୍କୁ ନିଜର ଚତୁର୍ଥ ଶିକାର କରିଥିଲେ ହସନ।

ଜାଡେଜା-ଅଶ୍ୱିନ ମ୍ୟାଜିକ୍‌:ପନ୍ତଙ୍କ ଉଇକେଟର ପତନ ପରେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଅର୍ଦ୍ଧଶତକ କରିଥିଲେ ଜୟସ୍ବାଲ। ୧୧୮ ବଲ ଖେଳି ୯ ଚୌକା ମାରି ସେ ୫୬ ରନ୍‌ କରିଥିଲେ। ନାହିଦ୍‌ ରାଣାଙ୍କ ବଲରେ ଜୟସ୍ବାଲ ଆଉଟ ହେବା ପରେ ପରବର୍ତ୍ତୀ ବ୍ୟାଟର ଲୋକେଶ ରାହୁଲ ୧୬ ରନ୍‌ କରି ମେହିଦୀ ହସନ ମିରାଜଙ୍କ ବଲ୍‌ରେ ଆଉଟ ହୋଇଥିଲେ। ପରେ ଚେନ୍ନାଇର ଦର୍ଶକଙ୍କୁ ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ମ୍ୟାଜିକ ଦେଖିବାକୁ ମିଳିଥିଲା। ଲୋକାଲ ବୟ ଅଶ୍ୱିନ ୧୧୨ ବଲ୍‌ ଖେଳି ୧୦ ଚୌକା ଓ ୨ ଛକା ସହ ୧୦୨ ରନରେ ଅପରାଜିତ ରହିଛନ୍ତି। ଅନ୍ୟପକ୍ଷରେ ଜାଡେଜା ୧୧୭ ବଲ୍‌ ଖେଳି ୧୦ ଚୌକା ଓ ୨ ଛକା ସହ ୮୬ ରନରେ ବ୍ୟାଟିଂ କରୁଛନ୍ତି। ଉଭୟ ଖେଳାଳି ସପ୍ତମ ଉଇକେଟରେ ୨୨୭ ବଲ ଖେଳି ଅବିଭାଜିତ ୧୯୫ ରନ୍‌ ଯୋଡିଛନ୍ତି। ବାଂଲାଦେଶ ପକ୍ଷରୁ ହସନ୍‌ ମେହମୁଦ୍‌ ୪ ଉଇକେଟ ନେଇଥିବା ବେଳେ ମେହିଦୀ ହସନ ମିରାଜ ଓ ନାହିଦ ରାଣା ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ଇନିଂସ ୮୦ ଓଭରରେ ୩୩୯/୬(ରବିଚନ୍ଦ୍ରନ ଅଶ୍ୱିନ-୧୦୨*, ରବୀନ୍ଦ୍ର ଜାଡେଜା-୮୬*, ଯଶସ୍ବୀ ଜୟସ୍ବାଲ-୫୬, ହସନ ମେହମୁଦ-୪/୫୮, ମେହିଦୀ ହସନ ମିରାଜ-୧/୭୭, ନାହିଦ୍‌ ରାଣା-୧/୮୦)।

Share