ଅହମଦାବାଦ,୩।୫: ଗୁଜରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟ୍କା ଲାଗିଛି। ମଙ୍ଗଳବାର କଂଗ୍ରେସ ବିଧାୟକ ଅଶ୍ୱିନ କୋତଓ୍ବାଲ ଦଳ ଛାଡି ଭାଜପାର ହାତ ଧରିଛନ୍ତି। ଏହି ସମୟରେ କୋତଓ୍ବାଲ କହିଛନ୍ତି, କଂଗ୍ରେସରୁ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଛି, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋ ହୃଦୟରେ ରହିଥିଲେ। ଅନ୍ୟପଟେ କୋତଓ୍ବାଲ ଭାଜପାରେ ସାମିଲ ହେବା କଂଗ୍ରେସର ବହୁ ବଡ଼ କ୍ଷତି ବୋଲି କୁହାଯାଉଛି। କୋତଓ୍ବାଲ ଜଣେ ବରିଷ୍ଠ ଆଦିବାସୀ ନେତା। ଗୁଜରାଟରେ ତାଙ୍କର ବହୁ ଦବ୍ଦବା ରହିଛି। ମଙ୍ଗଳବାର ସେ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ବିଧାନସଭା ବାଚସ୍ପତିଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାପରେ ଭାଜପା କାର୍ଯ୍ୟାଳୟରେ ପହଞ୍ଚି ସେ ଔପଚାରିକ ଭାବେ ଦଳରେ ସାମିଲ ହୋଇଥିଲେ।