ନାଗପୁର,୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆଜିଠାରୁ ଆରମ୍ଭ ହୋଇଛି। ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ମ୍ୟାଚର ପ୍ରଥମ ଦିନରେ ଟିମ ଇଣ୍ଡିଆର ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚର ପ୍ରଥମ ଦିନରେ ଭାରତର ଅଭିଜ୍ଞ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏକ ପ୍ରମୁଖ ସଫଳତା ହାସଲ କରିଛନ୍ତି। ସେ ଟେଷ୍ଟ କ୍ୟାରିୟରରେ ୪୫୦ ଉଇକେଟ ନେଇଛନ୍ତି।
ଟେଷ୍ଟ କ୍ରିକେଟରେ ୪୫୦ ଉଇକେଟ ପୂରଣ କରିବାରେ ଅଶ୍ୱିନ ଦ୍ୱିତୀୟ ଦ୍ରୁତତମ ବୋଲର ହୋଇଛନ୍ତି। ୮୯ତମ ଟେଷ୍ଟରେ ସେ ଏହି ଆକଳନକୁ ଛୁଇଁଛନ୍ତି। ତାଙ୍କଠାରୁ କେବଳ ଶ୍ରୀଲଙ୍କାର ମୁଥିୟା ମୁରଲୀଧରନ ଅଛନ୍ତି। ୮୦ଟି ମ୍ୟାଚରେ ମୁରଲୀଧରନ ଏହି ସଫଳତା ହାସଲ କରିଥିଲେ। ଆଲେକ୍ସ କେରି ଅଶ୍ୱିନଙ୍କ ୪୫୦ତମ ଶିକାର ହୋଇଥିଲେ।
୪୫୦ ଉଇକେଟ ନେବାରେ ଅଶ୍ୱିନ ଭାରତର ଦ୍ୱିତୀୟ ବୋଲର। ଅନିଲ କୁମ୍ବଲେ ତାଙ୍କ ପୂର୍ବରୁ ଏହି ଉପଲବ୍ଧି ହାସଲ କରିଥିଲେ। ୯୩ ତମ ଟେଷ୍ଟରେ ସେ ଏହି ସଫଳତା ହାସଲ କରିଥିଲେ । ତେବେ ଟେଷ୍ଟରେ କୁମ୍ବଲେ ମୋଟ ୬୧୯ ଉଇକେଟ ନେଇଛନ୍ତି।