ଦୁବାଇ, ୩ା୩ (ପି.ଟି.)-ଫେବୃୟାରୀରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରୁଷ ବିଭାଗରେ ‘ଆଇସିସି ପ୍ଲେୟର ଅଫ୍୍ ଦି ଇୟର’ ଦୌଡ଼ରେ ଭାରତର ପୁରୁଖା ଅଫ୍-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ, ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଓ ଓ୍ବେଷ୍ଟଇଣ୍ଡିଜର ନୂଆ ବ୍ୟାଟିଂ ସେନ୍ସେସନ କାଇଲ ମେୟର୍ସ ପ୍ରମୁଖ ରହିଛନ୍ତି। ଅଶ୍ୱିନ ଇଂଲଣ୍ଡ ବିପକ୍ଷରେ ତିନୋଟି ଟେଷ୍ଟ ଖେଳିଛନ୍ତି। ଚେନ୍ନାଇଠାରେ ଭାରତର ଦ୍ୱିତୀୟ ଟେଷ୍ଟ ବିଜୟରେ ସେ ୧୦୬ ରନ ସଂଗ୍ରହ କରିଛନ୍ତି। ଅହମଦାବାଦରେ ତୃତୀୟ ଟେଷ୍ଟ ବିଜୟରେ ସେ ତାଙ୍କ ୪୦୦ ଉଇକେଟ ପୂରଣ କରିଛନ୍ତି। ତିନୋଟି ଟେଷ୍ଟରେ ସେ ମୋଟ ୧୭୬ ରନ ସଂଗ୍ରହ କରିବା ସହ ୨୪ ଉଇକେଟ ଅକ୍ତିଆର କରିଛନ୍ତି। ଏହି ପ୍ରଦର୍ଶନ ପାଇଁ ପୁରୁଷ କାଟେଗୋରିରେ ପ୍ରାର୍ଥୀ ହେବା ପାଇଁ ସେ ଯୋଗ୍ୟ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କହିଛି। ଉଭୟ ବ୍ୟାଟ ଓ ବଲ୍ରେ ଚମତ୍କାର ପ୍ରଦର୍ଶନ ପାଇଁ ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ୍ଙ୍କ ନାମ ମଧ୍ୟ ପୁଣି ସୁପାରିସ ହୋଇଛି। ଭାରତ ବିପକ୍ଷ ତିନୋଟି ଟେଷ୍ଟରେ ସେ ମୋଟ ୩୩୩ ରନ ସଂଗ୍ରହ କରିବା ସହ ୬ ଉଇକେଟ ଦଖଲ କରିଛନ୍ତି। ରୁଟ୍ ସିରିଜ ଆରମ୍ଭରେ ଓପନିଂ ଟେଷ୍ଟରେ ଆକର୍ଷଣୀୟ ୨୧୮ ରନ ସଂଗ୍ରହ କରିଥିଲେ। ଓ୍ବେଷ୍ଟଇଣ୍ଡିଜର ନବାଗତ ଟେଷ୍ଟ ଖେଳାଳି ମେୟର୍ସ ବାଂଲାଦେଶ ବିପକ୍ଷରେ ଦୁଇଟି ଟେଷ୍ଟ ଖେଳିଛନ୍ତି। ମେୟର୍ସଙ୍କ ମ୍ୟାଚ ବିଜୟୀ ୨୧୦ ରନ ଯୋଗୁ ତାଙ୍କ ଦଳ ଚିଟାଗଙ୍ଗରେ ୩୯୫ କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିଲା। ଅନ୍ୟପକ୍ଷରେ ମହିଳା ବିଭାଗରେ ଉକ୍ତ ପୁରସ୍କାର ଦୌଡ଼ରେ ଇଂଲଣ୍ଡର ଟାମି ବିମଣ୍ଟ ଓ ନାଟ୍ ସ୍କିଭର ଏବଂ ନ୍ୟୁଜିଲାଣ୍ଡର ବ୍ରୁକି ହାଲିଡେ ପ୍ରମୁଖ ରହିଛନ୍ତି।