Categories: ଖେଳ

ଏହି କ୍ରିକେଟର ସନ୍ୟାସ ନେବା ଜାଣି ଖୁସି ହୋଇଥିଲି: ଅଶ୍ୱିନ

ନୂଆଦିଲ୍ଲୀ,୧।୩: ଏକ ଦଶନ୍ଧିରୁ ଅଧିକ ସମୟର କ୍ୟାରିୟରରେ ରବିଚନ୍ଦ୍ରନ ଅଶ୍ୱିନ କ୍ରିକେଟର ତିନୋଟି ଯାକ ଫର୍ମାଟରେ ବ୍ୟାଟ୍ସମ୍ୟାନ୍‌ଙ୍କ ଉଇକେଟ ନେବାରେ ସିଦ୍ଧହସ୍ତ। ବିଶେଷ ଭାବେ ବାମହାତୀ ବ୍ୟାଟ୍ସମ୍ୟାନ ତାଙ୍କ ବଲ୍‌ର ଶିକାର ହୋଇଥାନ୍ତି। ଅନେକ ଅଭିଜ୍ଞ କ୍ରିକେଟର ମଇଦାନରେ ତାଙ୍କ ବିପକ୍ଷରେ ସଂଘର୍ଷ କରିଥାନ୍ତି। ସେଥିରୁ ଜଣେ ହେଲେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା। ସେ ୨୦୧୫ରେ ଭାରତ ବିପକ୍ଷରେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ସିରିଜ୍‌ ଖେଳିଥିଲେ।

ଭାରତ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ଖେଳିବା ପରେ ସାଙ୍ଗାକାରା ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ। ଉଭୟ ଟେଷ୍ଟର ଚାରୋଟି ଯାକ ଇନିଂସରେ ସାଙ୍ଗାକାରାଙ୍କ ଉଇକେଟ ନେଇଥିଲେ ଅଶ୍ୱିନ। ଆଗାମୀ ଆଇପିଏଲ୍‌ ସିଜନରେ ଅଶ୍ୱିନ ସାଙ୍ଗାକାରାଙ୍କ ସହ ଡ୍ରେସିଂ ରୁମ୍‌ ଶେୟାର କରିବେ। ଉଭୟ ରାଜସ୍ଥାନ ରୟାଲ୍ସର ଅଂଶ। ଅଶ୍ୱିନ ନିକଟରେ ଫ୍ରାଞ୍ଚାଇଜର ଏକ ଭିଡିଓରେ ଏହି କିମ୍ବଦନ୍ତୀ ଖେଳାଳିଙ୍କ ସହ ଅନେକ ସ୍ମରଣୀୟ ମୂହୁର୍ତ୍ତକୁ ମନେ ପକାଇଛନ୍ତି।

ଅଶ୍ୱିନ କହିଛନ୍ତି, ସାଙ୍ଗାକାରା ଜଣେ ଅଦ୍ଭୁତ ବ୍ୟକ୍ତି। ଦିନେଶ କାର୍ତ୍ତିକଙ୍କ ସହ ରାତ୍ର ଭୋଜନ କରୁଥିବା ବେଳେ ପ୍ରଥମ ଥର ତାଙ୍କୁ ମୁଁ ଭେଟିଥିଲି। ତାଙ୍କର ବ୍ୟକ୍ତିତ୍ୱ ଯୋଗୁ ତାଙ୍କ  ସହ କ୍ରିକେଟ ବିଷୟରେ ବହୁତ କିଛି କଥା ହୋଇଥିଲି। ମୁଁ ତାଙ୍କ ବିପକ୍ଷରେ କିଛି ଟେଷ୍ଟ ମ୍ୟାଚ୍‌ ଖେଳିଥିଲି। ତାଙ୍କର ଉଇକେଟ ମଧ୍ୟ ନେଇଥିଲି। ଏଥିଯୋଗୁ ସାଙ୍ଗାକାରା ଅବସର ନେଇଥିଲେ ବୋଲି କହିହେବ। ଯେତେବେଳେ ଜଣେ ବଡ଼ ବ୍ୟାଟ୍ସମ୍ୟାନ ବୋଲରଙ୍କ ବିରୁଦ୍ଧରେ ବାରମ୍ବାର ଆଉଟ୍‌ ହୋଇଥାଏ, ସେତେବେଳେ ସେ ଯୋଜନା ପ୍ରସ୍ତୁତ କରି ଆସିଥାଏ। ହେଲେ ମୁଁ  ତାଙ୍କୁ ଅନେକ ଥର ଆଉଟ୍‌ କରିଥିଲି। ସେ ସନ୍ୟାସ ନେବା ଜାଣିବା ପରେ ଆଉ ତାଙ୍କ ବିପକ୍ଷରେ ଲଢ଼େଇ କରିବାକୁ ପଡ଼ିବ ନାହିଁ ବୋଲି ଭାବି ଖୁସିଥିଲି ବୋଲି ଅଶ୍ୱିନ କହିଛନ୍ତି।

Share