Categories: ଖେଳ

୨୦୨୩ ବିଶ୍ୱକପ୍‌ ମୋର ଅନ୍ତିମ ବିଶ୍ୱକପ୍‌ ହୋଇପାରେ: ଅଶ୍ୱିନ

ନୂଆଦିଲ୍ଲୀ,୩୦।୯: ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ୍‌। ଏଥିଲାଗି ସମସ୍ତ ଟିମ୍‌ ଦଳ ଘୋଷଣା କରିସାରିଥିବା ବେଳେ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅକ୍ଷର ପଟେଲ ଆହତ ହେବା ପରେ ତାଙ୍କ ସ୍ଥାନରେ ଅନୁଭବୀ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସୁଯୋଗ ମିଳିଛି। ବିଶ୍ୱକପ୍‌ ସ୍କ୍ବାର୍ଡରେ ସ୍ଥାନ ପାଇବାକୁ ନେଇ ଅଶ୍ୱିନ ଖୁସି ପ୍ରକାଶ କରିବା ସହ ଏହା ତାଙ୍କର ଅନ୍ତିମ ବିଶ୍ୱକପ୍‌ ହୋଇପାରେ ବୋଲି କହିଛନ୍ତି।

ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ବାର୍ତ୍ତାଳାପ କରି ଅଶ୍ୱିନ କହିଛନ୍ତି, ମୁଁ ଭଲ ଲୟରେ ଅଛି। ଏଣୁ ଏହି ଟୁର୍ନାମେଣ୍ଟର ମଜା ଉଠାଉଛି। ଭାରତ ପକ୍ଷରୁ ଏହା ମୋର ଅନ୍ତିମ ବିଶ୍ୱକପ୍‌ ହୋଇପାରେ। ଏଥିଲାଗି ଟୁର୍ନାମେଣ୍ଟର ଆନନ୍ଦ ନେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ଏହାଛଡ଼ା ଦଳରେ ସାମିଲ ହେବାକୁ ନେଇ ଅଶ୍ୱିନ କହିଛନ୍ତି, ଜୀବନ ସୁଖଦୁଃଖରେ ଭରପୂର ଥାଏ। ସତ କହିବାକୁ ଗଲେ ବିଶ୍ୱକପ୍‌ ଟିମ୍‌ରେ ସୁଯୋଗ ମିଳିବ ବୋଲି କେବେହେଲେ ଭାବି ନ ଥିଲି। ପରିସ୍ଥିତି କିନ୍ତୁ ସେଭଳି ହେବା ଯୋଗୁ ମୁଁ ଆଜି ଏଠି ଅଛି। ଚୟନ କମିଟି ମଧ୍ୟ ମୋ ଉପରେ ବିଶ୍ୱାସ ଦେଖାଇଛି ବୋଲି ସେ କହିଛନ୍ତି।

Share