୧୯ରେ ଓଡ଼ିଶା ଗସ୍ତରେ ଅଶ୍ୱିନୀ, ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୯ ତାରିଖରେ ଓଡ଼ିଶା ଗସ୍ତରେ ଆସି ଜନ ଆଶୀର୍ବାଦ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବେ। ନିକଟରେ ମୋଦି ସରକାର ମନ୍ତ୍ରିମଣ୍ଡଳ ପରିବର୍ତ୍ତନ କରିବା ପରେ ଏହା ଧର୍ମେନ୍ଦ୍ର ଓ ଅଶ୍ୱିନୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ହେବ। ଭାଜପା ସାରା ଦେଶରେ ଜନ ଆଶୀର୍ବାଦ ଯାତ୍ରା ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏଥିଲାଗି ଦେଶର ସବୁ କେନ୍ଦ୍ରମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ଗସ୍ତ କରିବେ। ସେହି କ୍ରମରେ ଓଡ଼ିଶା ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ ଆସିବେ। ୧୯ ତାରିଖରେ ଦୁଇ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ ନେତା ଓ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ସେଠାରୁ ଦୁହେଁ ସିଧା ପୁରୀ ଗସ୍ତରେ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବେ। ପୁରୀରୁ ଫେରି ଉଭୟ ଟ୍ରେନ୍‌ ଯୋଗେ ରାୟଗଡ଼ା ଗସ୍ତରେ ଯିବେ। ରାୟଗଡ଼ାଠାରୁ ସେମାନେ ନବରଙ୍ଗପୁର, ପରେ କଳାହାଣ୍ଡି ଏବଂ ବଲାଙ୍ଗୀର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହିସବୁ ଜିଲା କାର୍ଯ୍ୟକ୍ରମ ଶେଷ କରି ଉଭୟ ୨୨ ତାରିଖରେ ଭୁବନେଶ୍ୱର ଫେରିଆସିବେ। ଦୁଇ କେନ୍ଦ୍ରମନ୍ତ୍ରୀ ଗସ୍ତ କରିବାକୁ ଥିବା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଜନ ଆଶୀର୍ବାଦ ଯାତ୍ରାକୁ ସଫଳ କରିବେ ବୋଲି ଜଣାପଡ଼ିଛି। ଓଡ଼ିଶାରେ ହେବାକୁ ଥିବା ବିଭିନ୍ନ ରେଳ ପ୍ରକଳ୍ପକୁ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଗୁରୁବାର ଭାଜପାର କେତେଜଣ ବିଧାୟକ ଏବଂ ଏମ୍‌ପି ଯାଇ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଥିବା ଜଣାପଡ଼ିଛି। ମୟୂରଭଞ୍ଜ ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ଥିବା କାରଣରୁ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ନାହିଁ। ତେବେ ଏହି କାର୍ଯ୍ୟକ୍ରମ ନେଇ ଦଳର ରାଜ୍ୟ ନେତୃବୃନ୍ଦଙ୍କ ନିକଟରେ ଏପର୍ଯ୍ୟନ୍ତ କୌଣସି ଖବର ନ ଥିବା କେତେଜଣ ମତ ରଖିଛନ୍ତି।

Share