Categories: ବାଣିଜ୍ୟ

ଅଶ୍ୱିନୀ ହସ୍ପିଟାଲ ପକ୍ଷରୁ ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

କଟକ,୧୨।୧୦ (ଅଭୟ ଦାଶ): ଅଶ୍ୱିନୀ ଗ୍ରୁପ୍‌ ଅଫ୍‌ ହସ୍ପିଟାଲ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅଶ୍ୱିନୀ ହସ୍ପିଟାଲ କଟକଠାରେ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅଶ୍ୱିନୀ ଗ୍ରୁପ୍‌ ଅଫ୍‌ ହସ୍ପିଟାଲର ଚେୟାରମ୍ୟାନ (ଅଧ୍ୟକ୍ଷ) ଡା. ସୁବ୍ରତ ଜେନା, ମ୍ୟାନେଜିଂ ଡାଇରେକ୍ଟର ଡା. ମାୟା ଗନ୍ତାୟତଙ୍କ ସମେତ ଅଶ୍ୱିନୀ ହସ୍ପିଟାଲର ଅର୍ଥୋପେଡିକ୍ସ୍‌ ବିଭାଗର ବିଭାଗୀୟ ମୁଖ୍ୟ ଡା. ବି.କେ.ରେଡ୍ଡି, ରେସ୍‌ପିରେଟୋରି ବିଭାଗର ବିଭାଗୀୟ ମୁଖ୍ୟ ଡା. ସମ୍ପଦ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କଟକର ଅଶ୍ୱିନୀ ହସ୍ପିଟାଲରେ ନିୟମିତ ଡାକ୍ତରୀ ପୋଷ୍ଟ ଗ୍ରାଜୁଏଶନ (ପିଜି) ପାଠ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ୬ଟି ବିଭାଗରେ ଉକ୍ତ ପାଠ୍ୟକ୍ରମ ନିକଟରେ ଆରମ୍ଭ ହୋଇଛି।

ଏପରିକି କୌଣସି କର୍ପୋରେଟ ହସ୍ପିଟାଲରେ ଏଭଳି ପାଠ୍ୟକ୍ରମ ଆରମ୍ଭ ହେବା ରାଜ୍ୟରେ ଏହା ପ୍ରଥମ ବୋଲି ଅଶ୍ୱିନୀ ପକ୍ଷରୁ ସୂଚନା ଦିଆଯାଇଛି। ଅଶ୍ୱିନୀ ହସ୍ପିଟାଲ୍‌ ଓ ଅଶ୍ୱିନୀ ଟ୍ରମା ସେଣ୍ଟର ଆଦିରେ ନ୍ୟୁରୋସର୍ଜରି, ନ୍ୟୁରୋଲୋଜି, ଅର୍ଥୋପେଡିକ୍ସ, ପ୍ଲାଷ୍ଟିକ ସର୍ଜରି, ରେସ୍‌ପିରେଟୋରି ଏବଂ ଇମରଜେନ୍ସି ମେଡିସିନ ଭଳି ପ୍ରମୁଖ ବିଭାଗ ଆଦିରେ ପିଜି ପାଠ୍ୟକ୍ରମ ଖୋଲିଥିବା ଅଶ୍ୱିନୀ ଗ୍ରୁପ୍‌ ଅଫ୍‌ ହସ୍ପିଟାଲର ଚେୟାରମ୍ୟାନ (ଅଧ୍ୟକ୍ଷ) ଡା. ସୁବ୍ରତ ଜେନା ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ଅଶ୍ୱିନୀ ହସ୍ପିଟାଲର ମ୍ୟାନେଜିଂ ଡାଇରେକ୍ଟର ଡା. ମାୟା ଗନ୍ତାୟତ କହିଥିଲେ, ନିଟ୍‌ କାଉନ୍‌ସେଲିଂ ମାଧ୍ୟମରେ ପିଜି ପାଠ୍ୟକ୍ରମ ନିମନ୍ତେ ଛାତ୍ରୀଛାତ୍ରମାନେ ନାମ ଲେଖାଉଛନ୍ତି। ଅଶ୍ୱିନୀ ହସ୍ପିଟାଲ ଓ ଟ୍ରମା ସେଣ୍ଟରଠାରେ ୨୦୦ରୁ ଅଧିକ ଶଯ୍ୟା ରହିଥିବା ବେଳେ ସେଥିରେ ପ୍ରତିଦିନ ଶତାଧିକ ରୋଗୀ ଚିକିତ୍ସିତ ହେଉଛନ୍ତି। ଏପରିକି ପ୍ରତି ବିଭାଗରେ ୨ଜଣ ଲେଖାଏ ମୋଟ୍‌ ୧୨ଜଣ ଛାତ୍ର ପିଜି ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି। ଅଶ୍ୱିନୀ ହସ୍ପିଟାଲରେ ଅଧ୍ୟୟନରତ ଛାତ୍ରୀଛାତ୍ରମାନଙ୍କୁ ଓଡ଼ିଶା ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଷ୍ଟାଇପେଣ୍ଡ ମଧ୍ୟ ସମସ୍ତ ନୀତି ନିୟମ ମଧ୍ୟରେ ପ୍ରଦାନ କରାଯାଉଛି।

 

Share