ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଏମ୍ପି ଅଶ୍ୱିନୀ ଚୌବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ନୀତୀଶ ଉପପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ବୋଲି ସେ କହିଛନ୍ତି।
ଅଶ୍ୱିନୀ କହିଛନ୍ତି, ନୀତୀଶ କୁମାର ଯେପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ଚାଲୁଛନ୍ତି, ତାଙ୍କୁ ଉପପ୍ରଧାନମନ୍ତ୍ରୀ କରାଯିବା ଉଚିତ। ସେ କହିଥିଲେ ଯେ ଯଦି ନୀତିଶ ଉପପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ବିହାରର ବିକାଶ ହେବ ଏବଂ ଜଗଜୀବନ ରାମଙ୍କ ପରେ ବିହାରକୁ ଦ୍ୱିତୀୟ ଉପପ୍ରଧାନମନ୍ତ୍ରୀ ମିଳିବ।
ଗତ ବର୍ଷ ଲୋକ ସଭା ନିର୍ବାଚନ ସମୟରେ, ଏକ ରିପୋର୍ଟ ଆସିଥିଲା। ଯେଉଁଥିରେ କୁହାଯାଇଥିଲା ଯେ ବିରୋଧୀ ଦଳଗୁଡ଼ିକର ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ଜନତା ଦଳ (ୟୁନାଇଟେଡ)କୁ ପ୍ରଲୋଭିତ କରିବା ପାଇଁ ନୀତିଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ପଦ ପ୍ରଦାନ କରିଥିଲା।
ତଥାପି ନୀତିଶ ସମୟ ସମୟରେ ସ୍ପଷ୍ଟ ଭାବରେ କହି ଆସୁଛନ୍ତି ଯେ ସେ ଏନଡିଏ ଛାଡି କୌଣସି ସ୍ଥାନକୁ ଯିବେ ନାହିଁ। ଥରେ କିମ୍ବା ଦୁଇଥର ଏପଟସେପଟ ହୋଇଯାଇଛନ୍ତି, କିନ୍ତୁ ଆଉ ନୁହେଁ।
ନିର୍ବାଚନ କମିଶନଙ୍କ ଅନୁଯାୟୀ, ୨୦୨୪ ନିର୍ବାଚନରେ ଭାଜପା ୨୪୦ଟି ଆସନ ଜିତିଥିଲା, ଯାହା ୨୦୧୯ରେ ୩୦୩ଟି ଆସନ ତୁଳନାରେ ବହୁତ କମ। ଅପରପକ୍ଷେ କଂଗ୍ରେସ ୯୯ଟି ଆସନ ଜିତିଥିଲା। ଭାଜପା ନେତୃତ୍ୱାଧୀନ ଏନଡିଏ ୨୯୩ଟି ଆସନ ଜିତିଥିଲା। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେଲେ। ତେବେ ଭାଜପାକୁ କ୍ଷମତାକୁ ଆଣିବାରେ ଜେଡିୟୁ ଏବଂ ଟିଡିପି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଅପରପକ୍ଷେ ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି। ଅନେକ ଭାଜପା ନେତା କହିଛନ୍ତି ଯେ ରାଜ୍ୟ ନିର୍ବାଚନ ନୀତୀଶ କୁମାରଙ୍କ ନେତୃତ୍ୱରେ ଲଢ଼ାଯିବ।
ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଥିଲେ ଯେ ନୀତିଶ କୁମାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିହାରରେ ଏନଡିଏ କାମ କରୁଛି ଏବଂ ଆମେ ଉଭୟ ନେତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବୁ। ୨୦୨୦ ମସିହାରେ ମଧ୍ୟ ମେଣ୍ଟ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା। ଭବିଷ୍ୟତରେ ମଧ୍ୟ ଆମେ ନୀତିଶ କୁମାର ଏବଂ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ର୍ନିବାଚନ ଲଢ଼ିବୁ ବୋଲି ସେ କହିଛନ୍ତି।