ଭୁବନେଶ୍ୱର,୨ା୯(ବ୍ୟୁରୋ):ଓଡ଼ିଶାର ବାଲିଯାତ୍ରା ୨ ହଜାର ବର୍ଷର ପୁରୁଣା ପରମ୍ପରା। କେଉଁ ଆବହମାନ କାଳରୁ ଏହା ଇଣ୍ଡୋନେସିଆ ସହିତ ଜଡ଼ିତ। ଇଣ୍ଡୋନେସିଆର ବାଲିଠାରେ ଅନୁଷ୍ଠିତ ଜି-୨୦ ଡିଜିଟାଲ ଇକୋନୋମି ମିନିଷ୍ଟର୍ସ ବୈଠକ (ଡିଇଏମ୍ଏମ୍)ରେ ଯୋଗ ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ଇଣ୍ଡୋନେସିଆର କମ୍ୟୁନିକେଶନ ଓ ଇନ୍ଫର୍ମେଟିକ୍ସ ମନ୍ତ୍ରୀ ଜି-୨୦ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ ପ୍ରଥମ ଶତାବ୍ଦୀରୁ ଅଷ୍ଟମ ଶତାବ୍ଦୀ ପର୍ଯ୍ୟନ୍ତ କଳିଙ୍ଗ ଏବଂ ଇଣ୍ଡୋନେସିଆ ମଧ୍ୟରେ ଏକ ଦୃଢ଼ ବାଣିଜି୍ୟକ ସମ୍ପର୍କ ରହିଥିଲା। କଳିଙ୍ଗର ସାଧବ ପୁଅମାନେ ବୋଇତ ସାହାଯ୍ୟରେ ବାଲି ଦ୍ୱୀପକୁ ନୌବାଣିଜ୍ୟ କରିବାକୁ ଯାଉଥିଲେ। ସେମାନେ ନଭେମ୍ବର ମଧ୍ୟଭାଗରୁ ନୌଯାତ୍ରା ଆରମ୍ଭ କରି ଜାନୁୟାରୀ ମଧ୍ୟଭାଗରେ ବାଲି ଦ୍ୱୀପରେ ପହଞ୍ଚୁଥିଲେ। ମାର୍ଚ୍ଚ ପୂର୍ବରୁ ଘରବାହୁଡ଼ା ହେବା ଆଗରୁ ସେମାନେ ୨ ମାସ ବାଣିଜ୍ୟ କରୁଥିଲେ। ଅର୍ବାନ ଥିଓରିଷ୍ଟ ଓ ଅଥର ସଞ୍ଜୀବ ସନ୍ୟାଲ ନିଜ ବହି ଦ ଓସନ ଅଫ ଚର୍ନରେ ଏକଥା ଉଲ୍ଲେଖ କରିଛନ୍ତି।
କଳିଙ୍ଗର ବାଣିଜ୍ୟ କାରବାର ଦକ୍ଷିଣ ପୂର୍ବ ଏସିଆ ବର୍ତ୍ତମାନର ଆସୋସିଏଶନ ଅଫ୍ ସାଉଥ୍ ଇଷ୍ଟ ଏସିଆନ ନେଶନ୍ସ (ଆସିଆସନ) ଦେଶଗୁଡ଼ିକ ଯଥା ଇଣ୍ଡୋନେସିଆ, ଫିଲିପାଇନ୍ସ, ମାଲେସିଆ, ଶ୍ରୀଲଙ୍କା, ଥାଇଲାଣ୍ଡ ସହ ଥିଲା। କଳିଙ୍ଗ ରାଜା ଓ ବ୍ୟବସାୟୀମାନଙ୍କ ସହ ଏହି ଦେଶଗୁଡ଼ିକର ବାଣିଜ୍ୟ କାରବାର ଅତ୍ୟନ୍ତ ଦୃଢ଼ ଥିଲା। ଓଡ଼ିଶା ରାଜାମାନଙ୍କର ନାମକୁ ଆଧାର କରି ଜାଭା ଓ ବାଲିର ନାମକରଣ କରାଯାଇଥିବା କୁହାଯାଉଛି। ସାଧବ ପୁଅମାନଙ୍କର ନୌବାଣିଜ୍ୟର ଶୁଭାରମ୍ଭକୁ ଏବେ ମଧ୍ୟ ସାଙ୍କେତିକ ଭାବେ ବହୁ ବର୍ଷ ଧରି ଓଡ଼ିଶାରେ ବାଲିଯାତ୍ରା ନାମରେ ପାଳନ କରାଯାଇ ଆସୁଛି। କୋଭିଡ୍୍ କଟକଣା ଯୋଗୁ ଗତ ଦୁଇବର୍ଷ ହେବ ଏହି ପର୍ବ ପାଳନ ହୋଇ ନାହିଁ। ତେବେ ଏହି ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ଆସନ୍ତା ନଭେମ୍ବର ୮ରୁ ୧୪ ମଧ୍ୟରେ ପାନଳ କରାଯିବ।