ଷ୍ଟେଶନରେ ହଠାତ୍‌ ପହଞ୍ଚି ଚା’ ପିଇଲେ ରେଳ ମନ୍ତ୍ରୀ

ଝାରସୁଗୁଡା ଅଫିସ୍‌,୯।୧୧: ଓଡ଼ିଶା ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ସକାଳେ ଝରସୁଗୁଡା ରେଳ ଷ୍ଟେଶନରେ ପହଞ୍ଚି ଯାଞ୍ଚ କରିଛନ୍ତି। ପରେ ଝାରସୁଗୁଡାରେ ଦକ୍ଷିଣ ପୂର୍ବ ରେଳବାଇ ଏବଂ ପୂର୍ବ ତଟ ରେଳବାଇ ର ଅଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଏହି ସମୟରେ ପ୍ଲାଟଫର୍ମରେ ଉପସ୍ଥିତ ଥିବା ଏକ ଚା’ ଷ୍ଟଲରେ ଚା’ ପିଇଥିଲେ। ଚା’ ପିଇବା ପରେ ସେ ଦୋକାନୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ଷ୍ଟେସନ ଦେଇ ଦୈନିକ କେତେ ଟ୍ରେନ ଯାଉଛି, ତା’ର ଯାଞ୍ଚ କରିଥିଲେ। ମନ୍ତ୍ରୀଙ୍କ ଚାରିପାଖରେ ଅନେକ ରେଳ ବାଇ କର୍ମଚାରୀ ଓ ସୁରକ୍ଷାକର୍ମୀ ରହିଥିଲେ। ସେମାନଙ୍କୁ ମଧ୍ୟ ଅଶ୍ୱିନୀ ବିସ୍କୁଟ ଓ ଅନ୍ୟାନ୍ୟ ଜିନିଷ ଖାଇବାକୁ ଦେଇଥିଲେ। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ଏହା ଭାଇରାଲ ହେବାରେ ଲାଗିଛି।
ପ୍ରକାଶ ଥାଉକି, ଓଡ଼ିଶାରେ ରେଳବାଇର ଭିତ୍ତିଭୂମି ବିକାଶ କାର୍ଯ୍ୟ ସମ୍ବନ୍ଧୀୟ ବିଭିନ୍ନ ବିଷୟ, ବିଶେଷକରି ଝାରସୁଗୁଡାରେ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ବରଗଡ ଏମ୍‌ପି ସୁରେଶ ପୂଜାରୀ, ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗା ଦେବ ଏବଂ ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲୀ ବିଧାୟକ ନୌରୀ ନାୟକ, ସୁନ୍ଦରଗଡ ବିଧାୟକ କୁସୁମ ଟେଟେ ଏବଂ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରି ରେଳମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ।

Share