ମାଲକାନଗିରି, ୧୫।୧(ଡି.ଏନ.ଏ.): ଛତିଶଗଡ଼ରେ ମାଓବାଦୀଙ୍କ ଆଇଇଡି ବୋମା ବିସ୍ଫୋରଣରେ ଜଣେ ପୋଲିସ ଏଏସ୍ଆଇ ମହମ୍ମଦ ଅସଲମ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି। ଖବରରୁ ଜଣାପଡିଛି, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାର ପେଗଡାପଲ୍ଲି ସ୍ଥିତ ସିଆର୍ପିଏଫ୍ କ୍ୟାମ୍ପଠାରୁ କିଛି ଦୂରରେ ଥିବା ବିଜାପୁର-ସୁକ୍ମା ରାସ୍ତାରେ ମାଓବାଦୀମାନେ ଏକ ଆଇଇଡି ବୋମା ଖଞ୍ଜିଥିଲେ। ଶନିବାର ଯବାନମାନେ କୋମ୍ବିଂ ଅପରେଶନରେ ଯାଉଥିବା ବେଳେ ଏହା ବିସ୍ଫୋରଣ ହୋଇଥିଲା। ଏଥିରେ ଏଏସ୍ଆଇ ଅସଲମ ଗୁରୁତର ହୋଇଥିଲେ। ତାଙ୍କୁ ନିକଟସ୍ଥ ବାସାଗୁଡା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ପୋଲିସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।