Categories: ଖେଳ

ଶ୍ରୀଲଙ୍କା ମନା କଲା:ଭାରତରେ ହୋଇପାରେ ଏସିଆ କପ୍‌

ନୂଆଦିଲ୍ଲୀ,୨୧।୭: ଶ୍ରୀଲଙ୍କା କ୍ରିକେଟ କାଉନସିଲ(ଏସ୍‌ଏଲ୍‌ସି) ଟି-୨୦ ଏସିଆ କପ୍‌ ୨୦୨୨ କ୍ରିକେଟ ଆୟୋଜନ କରିବାକୁ ମନା କରିଦେଇଛି। ଶ୍ରୀଲଙ୍କା କ୍ରିକେଟ ଏସିଆ କ୍ରିକେଟ ପରିଷଦ (ଏସିସି)କୁ ଏନେଇ ସୂଚନା ଦେଇଛି। ଅର୍ଥନୈତିକ ଏବଂ ରାଜନୈତିକ କାରଣରୁ ଟି-୨୦ ଏସିଆ କପ ଆୟୋଜନ କରିବା ସ୍ଥିତିରେ ନାହିଁ ଶ୍ରୀଲଙ୍କା। ଆର୍ଥିକ ସଙ୍କଟ ଯୋଗୁ ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ର ତୃତୀୟ ସଂସ୍କରଣ ମଧ୍ୟ ସ୍ଥଗିତ ରଖାଯାଇଛି।
ଏସିସି ସୂତ୍ର ଅନୁଯାୟୀ, ଶ୍ରୀଲଙ୍କା କହିଛି ଯେ, ଦେଶର ଅବସ୍ଥା ଅତ୍ୟନ୍ତ ଖରାପ। ୬ଟି ଦଳକୁ ନେଇ ଏତେ ବଡ଼ ଟୁର୍ନାମେଣ୍ଟ ଆୟୋଜନ କରିବା ସ୍ଥିତିରେ ନାହିଁ। ଟି-୨୦ ବିଶ୍ୱକପ ପୂର୍ବରୁ ଚଳିତ ବର୍ଷ ଅଗଷ୍ଟ-ସେପ୍ଟେମ୍ବରରେ ହେବାକୁ ଥିବା ଏସିଆ କପ ସମ୍ବନ୍ଧରେ ଏସିସି ଆଗାମୀ ଦିନରେ ଏକ ବଡ଼ ଘୋଷଣା କରିବ। ଭାରତ କିମ୍ବା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏହି ଟୁର୍ନାମେଣ୍ଟ ଆୟୋଜନ କରିବାର ସୁଯୋଗ ପାଇପାରନ୍ତି।
ୟୁଏଇ ଉପରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। କିନ୍ତୁ ଭାରତରେ ଏହି ଟୁର୍ନାମେଣ୍ଟ ହେବା ସମ୍ଭାବନା ଅଧିକ ବୋଲି କୁହାଯାଉଛି। ଏସୀୟ କ୍ରିକେଟ ପରିଷଦର ସଭାପତି ହେଉଛନ୍ତି ଜୟ ଶାହା। ଜୟ ଶାହା ବିସିସିଆଇର ସଚିବ ମଧ୍ୟ ଅଛନ୍ତି। ଏଭଳି ପରିସ୍ଥିତିରେ ଭାରତରେ ଟୁର୍ନାମେଣ୍ଟ ଆୟୋଜନ ପାଇଁ ଅଧିକ ଦାବିଦାର ରହିବ। ଯଦି ଏହା ଘଟେ, ତେବେ ପ୍ରଶଂସକମାନେ ଏଠାରେ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମ୍ୟାଚ ଦେଖିବାକୁ ପାଇପାରିବେ।

Share