ଦୁବାଇ,୩।୯: ଏସିଆ କପ୍ ୨୦୨୨ର ସୁପର-୪ ମୁକାବିଲା ଶନିବାରଠାରୁ ଆରମ୍ଭ ହେବ। ଶୁକ୍ରବାର ପାକିସ୍ତାନ ଶେଷ ଟିମ୍ ଭାବେ ଯୋଗ୍ୟତା ଅର୍ଜନ କରିଥିଲା। ହଂକଂକୁ ୧୫୫ ରନ୍ରେ ପରାଜିତ କରି ଦଳ ଏହି ଉପଲବ୍ଧି ହାସଲ କରିଥିଲା। ୧୯୪ ରନ୍ର ପିଛା କରି ହଂକଂ ମାତ୍ର ୩୮ ରନ୍ରେ ଅଲଆଉଟ୍ ହୋଇଥିଲା।
ଟୁର୍ନାମେଣ୍ଟରେ ଏବେ ସୁପର-୪ ପର୍ଯ୍ୟାୟକୁ କ୍ୱାଲିଫାଏ କରିଥିବା ଚାରି ଟିମ୍ ମଧ୍ୟରେ ଲଢ଼େଇ ହେବ। ଅର୍ଥାତ ସୁପର-୪ରେ ମୋଟ ୬ ମ୍ୟାଚ୍ ହେବ। ଶ୍ରେଷ୍ଠ ୨ ଟିମ୍ ଫାଇନାଲ ଖେଳିବେ। ଏହାର ପ୍ରଥମ ମ୍ୟାଚ୍ ଆଜି ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ଏହାପରେ ରବିବାର ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ହେବ।
ଭାରତ ନିଜର ଆଗାମୀ ମ୍ୟାଚ୍ ସେପ୍ଟେମ୍ବର ୬ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ସେହିଭଳି ସେପ୍ଟେମ୍ବର ୭ରେ ପାକିସ୍ତାନ-ଆଫଗାନିସ୍ତାନ, ସେପ୍ଟେମ୍ବର ୮ରେ ଭାରତ-ଆଫଗାନିସ୍ତାନ ମୁକାବିଲା ହେବ। ସୁପର-୪ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ ସେପ୍ଟେମ୍ବର ୯ରେ ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ। ଏହାର ଦୁଇ ଦିନ ପରେ ଟୁର୍ନାମେଣ୍ଟର ଫାଇନାଲ ଖେଳାଯିବ।