Categories: ଖେଳ

ଏସିଆ କପ୍‌ କ୍ରିକେଟ ଭେନ୍ୟୁ ନେଇ ମାର୍ଚ୍ଚରେ ହେବ ଚୂଡାନ୍ତ

ନୂଆଦିଲ୍ଲୀ,୬।୨: ୨୦୨୩ ଏସିଆ କପ୍‌ କ୍ରିକେଟ ଆୟୋଜକ ନେଇ ଅନିଶ୍ଚିତତା ଜାରି ରହିଛି। ପ୍ରତିଯୋଗିତା ସେପ୍ଟେମ୍ବରରେ ହେବାକୁ ଥିବା ବେଳେ ପାକିସ୍ତାନକୁ ଆୟୋଜନ କରିବା ଅଧିକାର ମିଳିଛି। ହେଲେ ସୁରକ୍ଷାକୁ ନେଇ ନିଜର ବିସିସିଆଇ ପ୍ରତିକ୍ରିୟା ରଖିଛି। ଯଦି ଏସିଆ କପ ପାକିସ୍ତାନରେ ହୁଏ ତେବେ ଭାରତ ଅଂଶଗ୍ରହଣ କରିବ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ନ ଗଲେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ ଖେଳିବାକୁ ପାକିସ୍ତାନ ମଧ୍ୟ ଆସିବ ନାହିଁ ବୋଲି ପିସିବି ପକ୍ଷରୁ କୁହାଯାଇଛି।

ଶନିବାର ଏସିଆ କ୍ରିକେଟ ପରିଷଦ(ଏସିଏ)ର ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବେଠକରେ ବିସିସିଆଇ ସମ୍ପାଦକ ଜୟ ଶାହା ଏବଂ ପିସିବି ଅଧ୍ୟକ୍ଷ ନଜମ ସେଠୀଙ୍କ ମଧ୍ୟରେ ଆନୁଷ୍ଠାନିକ ଭାବେ ଆଲୋଚନା ହୋଇଥିବା ଜଣାପଡିଛି। ହେଲେ ଆଲୋଚନାରେ କୌଣସି ସକାରାତ୍ମକ ସମାଧାନ ହୋଇ ନ ଥିବା ଜଣାପଡିଛି।

ବିସିସିଆଇ ସମ୍ପାଦକ ଶାହା ଏସୀୟ କ୍ରିକେଟ ପରିଷଦ(ଏସିସି)ର ଅଧ୍ୟକ୍ଷ ଥିବାରୁ ଏସିଆ କପ୍‌ ଆୟୋଜନ ପାକିସ୍ତାନର ମଧ୍ୟ ଅଧିକାର ବୋଲି ସେ କହିଥିଲେ। ହେଲେ ପ୍ରତିଯୋଗିତା ଅନ୍ୟ ଏକ ସ୍ଥାନରେ କରିବାକୁ ଶାହା କହିଥିଲେ। ଶାହା ଏବଂ ସେଠୀଙ୍କ ଆଲୋଚନା ପରେ ପାକିସ୍ତାନରୁ ଏସିଆ କପ ସ୍ଥାନାନ୍ତର ହେବା ସମ୍ଭାବନା ରହିଥିବା ଏସିସି ପକ୍ଷରୁ କୁହାଯାଇଛି। ତେବେ ଭେନ୍ୟୁ ନିଷ୍ପତ୍ତିକୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ମାସେ ପରେ ଉଭୟ ଶାହା ଏବଂ ସେଠୀଙ୍କ ପୁଣି ବୈଠକ ବସିବାର ସମ୍ଭାବନା ରହିଛି। ଏହି ବୈଠକରେ ଏସିଆ କପ୍‌ ଭେନ୍ୟୁ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ।

Share