Categories: ଖେଳ

ଭାରତୀୟ କ୍ରିକେଟ୍‌ ଟିମ୍‌କୁ ବଡ଼ ସୁଯୋଗ, ଭାରତରେ ହେବ ୨୦୨୫ ଏସିଆ କପ୍‌

ନୂଆଦିଲ୍ଲୀ, ୩୦।୦୭: ଟି-୨୦ ଏସିଆ କପ୍‌ କ୍ରିକେଟ୍‌ ୨୦୨୫ର ଆୟୋଜନ ଭାରତ କରିବାକୁ ଯାଉଛି । ଟି-୨୦ ବିଶ଼୍ବକପ୍‌ ୨୦୨୬ର ଠିକ୍‌ ଗୋଟିଏ ବର୍ଷ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ହେବ । ତେଣୁ ବିଶ଼୍ବକପ୍‌ ପୂର୍ବରୁ ଇଣ୍ଡିଆ ଟିମ୍‌ ନିଜକୁ ପରଖି ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିବାର ସୁଯୋଗ ରହିଛି । ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ୍‌ ଟ-୨୦ ଏସିଆ କପ୍‌ ଆୟୋଜନର ଘୋଷଣା ସମୋବାର କରିଛି ।

ଭାରତ ବର୍ତ୍ତମାନର ଏସିଆ କପ ଟାଇଟଲ ନିଜ ପକ୍ଷରେ ରଖିଛି । ଗତ ଚାରିଟି ଏସିଆ କପ ମଧ୍ୟରୁ ଭାରତ ତିନୋଟି ଜିତିଛି । ୨୦୧୬ ପରଠାରୁ ଏସିଆ କପ ସର୍ବଦା ବିଶ୍ୱକପ ପାଇଁ ଏକ ପ୍ରସ୍ତୁତି ଭାବରେ ବ୍ୟବହୃତ ହୋଇଆସୁଛି । ଏହି କାରଣରୁ, ଏସିଆ କପ ସମାନ ଫର୍ମାଟରେ ଖେଳାଯାଉଛି । ନିକଟରେ ଶ୍ରୀଲଙ୍କା ମହିଳା ଟି -୨୦ ଏସିଆ କପ୍‌ ଆୟୋଜନ କରିଥିଲା। ଭାରତୀୟ ମହିଳା ଦଳକୁ ପରାସ୍ତ କରି ଶ୍ରୀଲଙ୍କା ଟାଇଟଲ ଜିତିନେଇଛି ।

ପାକିସ୍ତାନ କ୍ରିକେଟ ବୋର୍ଡ ଏସିଆ କପ ୨୦୨୩ର ଆୟୋଜନ ‘ହାଇବ୍ରିଡ ମଡେଲ’ରେ କରିଥିଲା । ହେଲେ ଭାରତ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିଲା। ଏହା ପରେ ଶ୍ରୀଲଙ୍କାରେ ଭାରତର ମ୍ୟାଚ ଖେଳାଯାଇଥିଲା। ୨୦୨୭ରେ ବାଂଲାଦେଶ ଓଡିଆଇ ଫର୍ମାଟରେ ଏସିଆ କପ ଆୟୋଜନ କରିବ । ୨୦୨୭ ମସିହାରେ ଦକ୍ଷିଣ ଆଫ୍ରିକାରେ ଓଡିଆଇ ବିଶ୍ୱକପ ଖେଳାଯିବ । ଭାରତ ଏବଂ ବାଂଲାଦେଶରେ ଅନୁଷ୍ଠିତ ହେବାକୁ ଥିବା ଉଭୟ ଏସିଆ କପ୍‌ ୧୩ ମ୍ୟାଚ୍‌ ବିଶିଷ୍ଟ ହେବ ।

Share