Categories: ଖେଳ

ଏସିଆ କପ୍‌ କାର୍ଯ୍ୟସୂଚୀ ଚୂଡ଼ାନ୍ତ: ପାକିସ୍ତାନ ଯିବ ନାହିଁ ଭାରତ

ନୂଆଦିଲ୍ଲୀ, ୧୩ା୭(ପି.ଟି.): ଏସିଆ କପ୍‌ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି। ଭାରତୀୟ କ୍ରିକେଟ ଦଳ ପାକିସ୍ତାନରେ ଏହାର ମ୍ୟାଚ ଖେଳିବ ନାହିଁ ବୋଲି ବୁଧବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିସିସିଆଇ ସମ୍ପାଦକ ଜୟ ଶାହା ଓ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ପରିଚାଳନା କମିଟି ଚେୟାରମ୍ୟାନ ଜାକା ଅଶ୍ରଫଙ୍କ ମଧ୍ୟରେ ଆଲୋଚନା ହେବା ପରେ ଏହା ସ୍ପଷ୍ଟ ହୋଇଛି। ପୂର୍ବ ନିର୍ଦ୍ଧାରିତ ହାଇବ୍ରିଡ୍‌ ମଡେଲରେ ହିଁ ଏସିଆ କପ୍‌ ଅନୁଷ୍ଠିତ ହେବ ବୋଲି ଆଇପିଏଲ୍‌ କମିଟି ଚେୟାରମ୍ୟାନ୍‌ ଅରୁଣ ଧୂମାଲ ପ୍ରକାଶ କରିଛନ୍ତି। ଗୁରୁବାର ଦକ୍ଷିଣ ଆଫ୍ରିକାର ଡର୍ବାନରେ ହେବାକୁ ଥିବା ଆଇସିସିର ବୋର୍ଡ ମିଟିଂ ପାଇଁ ବୁଧବାର ଏକତ୍ରିତ ହେବା ଅବସରରେ ଜୟ ଶାହା ଓ ଜାକା ଅଶ୍ରଫ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଗତ ମାସରେ ଅଶ୍ରଫ ପିସିବି ଦାୟିତ୍ୱ ଗ୍ରହଣ କରିବା ପରେ ହାଇବ୍ରିଡ୍‌ ମଡେଲକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ପିସିବି ମୁଖ୍ୟ ନଜମ ସେଠୀ ହାଇବ୍ରିଡ୍‌ ମଡେଲ୍‌ର ପ୍ରସ୍ତାବ ଦେଇଥିଲେ। ଏହି ମଡେଲ ଅନୁସାରେ ଭାରତ ଏହାର ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିବ। ଜୟ ଶାହାଙ୍କ ସହିତ ଆଲୋଚନା ପରେ ହାଇବ୍ରିଡ୍‌ ମଡେଲରେ ଖେଳିବା ପାଇଁ ସହମତି ପ୍ରକାଶ କରିଛି ପିସିବି।
ଆସନ୍ତା ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ତାରିଖ ମଧ୍ୟରେ ଏସିଆ କପ୍‌ ପାକିସ୍ତାନ ଓ ବାଂଲାଦେଶରେ ଅନୁଷ୍ଠିତ ହେବ। ଲିଗ୍‌ ମ୍ୟାଚ୍‌ ମଧ୍ୟରୁ ୪ଟି ପାକିସ୍ତାନରେ ଓ ୯ଟି ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳାଯିବ। ଯଦି ଉଭୟ ଭାରତ ଓ ପାକିସ୍ତାନ ଫାଇନାଲରେ ପ୍ରବେଶ କରନ୍ତି ତେବେ ଫାଇନାଲ ମ୍ୟାଚ୍‌ ମଧ୍ୟ ଶ୍ରୀଲଙ୍କାରେ ଖେଳାଯିବ ବୋଲି ଧୂମାଲ କହିଛନ୍ତି। ଏହା ସହିତ ବିଭିନ୍ନ ପାକିସ୍ତାନୀ ମିଡିଆରେ ଏସିଆ କପ୍‌କୁ ନେଇ ପ୍ରକାଶିତ ଖବରକୁ ମଧ୍ୟ ଧୂମାଲ ଖାରଜ କରିଛନ୍ତି। ପାକିସ୍ତାନ କ୍ରୀଡାମନ୍ତ୍ରୀଙ୍କ ବୟାନ ଅନୁସାରେ ଭାରତ ପାକିସ୍ତାନ ଗସ୍ତ କରିବ ବୋଲି କିଛି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଏହାକୁ ଗୁଜବ ବୋଲି କହିଛନ୍ତି ଧୂମାଲ। ଏଭଳି କୌଣସି ଆଲୋଚନା ହୋଇନାହିଁ। ଭାରତ ପାକିସ୍ତାନ ଗସ୍ତ କରିବାର କୌଣସି ସମ୍ଭାବନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ୨୦୧୦ ଏସିଆ କପ୍‌ ସଂସ୍କରଣ ଭଳି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଶ୍ରୀଲଙ୍କାର ଡାମ୍ବୁଲାରେ ଖେଳାଯିବ।

Share