ଏମ୍ସକୁ ଏସିଆ ସେଫ୍‌ ସର୍ଜିକାଲ ଇମ୍‌ପ୍ଲାଣ୍ଟ କନ୍‌ସୋର୍ଟିୟମ ପୁରସ୍କାର

ଭୁବନେଶ୍ୱର,୧୫।୩(ଶର୍ମିଷ୍ଠା ପାଣିଗ୍ରାହୀ):ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ଏମ୍ସ ଭୁବନେଶ୍ୱରକୁ ମର୍ଯ୍ୟାଦାଜନକ ଏସିଆ ସେଫ୍‌ ସର୍ଜିକାଲ ଇମ୍‌ପ୍ଲାଣ୍ଟ କନ୍‌ସୋର୍ଟିୟମ୍‌ କ୍ୟୁଆଇପି ପୁରସ୍କାର ୨୦୨୩ ମିଳିଛି। ହସ୍ପିଟାଲରେ ବ୍ୟବହୃତ ବିଭିନ୍ନ ଯାନ୍ତ୍ରିକ ଉପକରଣର ଗୁଣବତ୍ତା ଏବଂ ପ୍ରତିରୋପଣ ପ୍ରକ୍ରିୟାକରଣକୁ ନେଇ ହେଉଥିବା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରତିବର୍ଷ ଏହି ପୁରସ୍କାର ଦିଆଯାଉଛି। ହସ୍ପିଟାଲର ସେଣ୍ଟ୍ରାଲ ଷ୍ଟେରାଇଲ ସେବା ବିଭାଗ (ସିଏସ୍‌ଏସ୍‌ଡି)ରେ ବିଭିନ୍ନ ଯନ୍ତ୍ର ଏବଂ ପ୍ରତିରୋପଣର ପୁନଃ ପ୍ରକ୍ରିୟାକରଣ ପାଇଁ ସର୍ବୋଚ୍ଚ ମାନ ନିର୍ଦ୍ଧାରଣ ଏବଂ ତଦାରଖ କରିବାର ପ୍ରକ୍ରିୟା ସ୍ବରୂପ ଏମ୍ସକୁ ଏଥିପାଇଁ ଚୟନ କରାଯାଇଛି। ଏହି ପ୍ରକ୍ରିୟାରେ ଏସିଆ ମହାଦେଶରୁ ୨୮ ସୁପ୍ରତିଷ୍ଠିତ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଅଂଶଗ୍ରହଣ କରିଥିଲେ। ମାତ୍ର ଏମ୍ସ ଭୁବନେଶ୍ୱର ସର୍ବୋତ୍ତମ ଡାକ୍ତରଖାନା ଭାବେ ପ୍ରଥମ ସ୍ଥାନ ଅଧିକାର କରିଛି। ଏମ୍ସ ଭୁବନେଶ୍ବରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସଙ୍କ ସମେତ ମେଡିକାଲ ଅଧୀକ୍ଷକ, ଓଟି କମିଟି ଅଧ୍ୟକ୍ଷ, ଡିନ୍‌ ଅଧ୍ୟାପକ, ଅଧ୍ୟାପିକା, ସିଏସଏସ୍‌ଡିର କର୍ମଚାରୀ, ବିଭିନ୍ନ ଓଟିର ନର୍ସିଂ ଇନ୍‌ ଚାର୍ଜ ଏବଂ ସଂକ୍ରମଣ ନିୟନ୍ତ୍ରଣ କମିଟିର ସଦସ୍ୟମାନେ ପୁରସ୍କାର ଗ୍ରହଣ କରିଥିଲେ। ଭର୍ଚୁଆଲରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରଫେସର ସେଟୋ ୱିଙ୍ଗ ହଙ୍ଗ, ପାଟ୍ରିସିଆ ସିଙ୍ଗଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।