୨୦୨୧ରେ ଅଧିକ ଉତ୍ତପ୍ତ ଥିଲା ଏସିଆ

ଶର୍ମ ଏଲ୍‌-ଶେଖ,୧୫।୧୧:ବିଶ୍ୱର ହାରାହାରି ଉତ୍ତାପଠାରୁ ଏସୀୟ ଅଞ୍ଚଳ ୨୦୨୧ରେ ଦ୍ରୁତ ଉତ୍ତପ୍ତ ହୋଇଥିଲା। ଏହାର ପରିଣାମ ସ୍ବରୂପ ବନ୍ୟା, ଅନାବୃଷ୍ଟି ଆଦି ଭୀଷଣ ପାଗ ଯୋଗୁ ସେହିବର୍ଷ ଏସୀୟ ଅଞ୍ଚଳ ୩୫ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ଆର୍ଥିକ କ୍ଷତି ସହିଥିବାବେଳେ ଭାରତରେ ୭.୫ ବିଲିୟନ ଡଲାର କ୍ଷତି ହୋଇଥିବା ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲ୍ୟୁଏମ୍‌ଓ) କହିଛି। ଡବ୍ଲ୍ୟୁଏମ୍‌ଓ ପକ୍ଷରୁ ପ୍ରକାଶିତ ‘ଏସିଆରେ ଜଳବାୟୁର ସ୍ଥିତି’ ରିପୋର୍ଟ ଅନୁଯାୟୀ, ୨୦୨୧ରେ ଏସୀୟ ଅଞ୍ଚଳର ତାପମାତ୍ରା ୧୯୮୧-୨୦୧୦ର ହାରାହାରି ତାପମାତ୍ରାଠାରୁ ୦.୮୬ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ରହିଥିଲା। ଗତବର୍ଷ ବିଶ୍ୱର ହାରାହାରି ତାପମାତ୍ରା ୧୯୮୧-୨୦୧୦ ଅବଧି ତୁଳନାରେ ୦.୪୨ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ରହିଥିଲା। ୨୦୨୦ରେ ଲା ନିନା ଅଧିକ ଦିନ ରହିବା ଫଳରେ ଏସିଆରେ ତାପମାତ୍ରା ୨୦୨୧ ତୁଳନାରେ ଅଧିକ ରହିଥିଲା। ଅନ୍ୟପକ୍ଷରେ ୨୦୨୧ ଚାଇନା, ହଂକଂ ଏବଂ ବାହାରିନ୍‌ ପାଇଁ ସବୁଠୁ ଉତ୍ତପ୍ତ ବର୍ଷ ଥିଲା ବୋଲି ରିପୋର୍ଟରେ କୁହାଯାଇଛି।
୨୦୨୧ରେ ଏସିଆ ମହାଦେଶରେ ୧୦୦ରୁ ଅଧିକ ପାଣିପାଗଜନିତ ବିପର୍ଯ୍ୟୟ ସୃଷ୍ଟି ହୋଇ ୪,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯିବା ସହ ଅନୂ୍ୟନ ୩୫.୬ ବିଲିୟନ ଡଲାର କ୍ଷତି ହୋଇଛି। ବନ୍ୟା ଯୋଗୁ ସର୍ବାଧିକ କ୍ଷୟକ୍ଷତି ହୋଇଥିବାବେଳେ ଅନାବୃଷ୍ଟିରେ ସର୍ବାଧିକ ଲୋକ ପ୍ରଭାବିତ ହୋଇଥିଲେ। ବନ୍ୟାରେ ଚାଇନା ୧୮.୪ ବିଲିୟନ ଡଲାର କ୍ଷତି ସହିଥିବାବେଳେ ଭାରତ ୩.୨ ବିଲିୟନ ଡଲାର କ୍ଷତି ସହିଥିଲା। ବାତ୍ୟାରେ ଭାରତରେ ୪.୪ ବିଲିୟନ ଡଲାର ଆର୍ଥିକ କ୍ଷତି ହୋଇଥିବାବେଳେ ଚାଇନାର କ୍ଷତି ପରିମାଣ ଥିଲା ୩.୦ ବିଲିୟନ ଡଲାର। ସେହିବର୍ଷ ମରୁଡ଼ିଜନିତ ଆର୍ଥତ୍କ କ୍ଷତି ପରିମାଣ ଗତ ୨୦ ବର୍ଷର ହାରାହାରିଠାରୁ ୬୩ ପ୍ରତିଶତ ଅଧିକ ଥିଲା।

Share