Categories: ଖେଳ

ଏସିଆନ ବିଚ୍‌ ଗେମ୍ସ ସ୍ଥଗିତ

କୁଏତ୍‌ ସିଟି, ୧୨ା୭ (ପି.ଟି.)- କୋଭିଡ୍‌-୧୯ ମହାମାରୀ ଯୋଗୁ ଅଲିମ୍ପିକ କାଉନ୍‌ସିଲ ଅଫ୍‌ ଏସିଆ (ଓସିଏ) ଶନିବାର ୬ଷ୍ଠ ଏସିଆନ ବିଚ୍‌ ଗେମ୍ସକୁ ସ୍ଥଗତି ରଖିଛି। ଏହି ଟୁର୍ନାମେଣ୍ଟ ନଭେମ୍ବର ୨୮ରୁ ଡିସେମ୍ବର ୬ ପର୍ଯ୍ୟନ୍ତ ଚାଇନା ସହ ସାନ୍ୟାରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଅଭୂତପୂର୍ବ ସ୍ବାସ୍ଥ୍ୟ ସଙ୍କଟ ଯୋଗୁ ବିଶ୍ୱବ୍ୟାପୀ ଇତିମଧ୍ୟରେ ବହୁ କ୍ରୀଡ଼ା ଇଭେଣ୍ଟ ସ୍ଥଗିତ ଅବା ବାତିଲ କରାଯାଇଛି। ଟୋକିଓ ଅଲିମ୍ପିକ୍ସକୁ ମଧ୍ୟ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ଅଲିମ୍ପିକ କାଉନ୍‌ସିଲ ଅଫ୍‌ ଏସିଆ ଏବଂ ଚାଇନିଜ ଅଲିମ୍ପିକ କମିଟି ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। କରୋନା ଭାଇରସ୍‌ ଯୋଗୁ ଯେଉଁ ସ୍ବାସ୍ଥ୍ୟ ସଙ୍କଟ ଦେଖାଯାଇଛି ତାହା ଉପରେ ନଜର ରଖାଯାଇଛି। ସ୍ଥିତିରେ ସୁଧାର ଆସିଲେ ଚାଇନିଜ ଅଲିମ୍ପିକ କମିଟି, ସାନ୍ୟା ଏସିଆନ ବିଚ୍‌ ଆୟୋଜକ କମିଟି ଏବଂ ଓସିଏର ମିଳିତ ଆଲୋଚନା ପରେ ପ୍ରତିଯୋଗିତା ପାଇଁ ନୂଆ ତାରିଖ ଘୋଷଣା କରାଯିବ। ଏସିଆନ ବିଚ୍‌ ଗେମ୍ସର ପୂର୍ବ ସଂସ୍କରଣ ୨୦୧୬ରେ ଭିଏତ୍‌ନାମରେ ହୋଇଥିଲା। ଚାଇନାରେ ଏହା ପୂର୍ବରୁ ୨୦୧୨ରେ ହାଇୟାଙ୍ଗ ସହରରେ ଆୟୋଜିତ ହୋଇଥିଲା। ଏସିଆନ ବିଚ୍‌ ଗେମ୍ସର ଉଦ୍‌ଘାଟନୀ ସଂସ୍କରଣ ୨୦୦୮ରେ ବାଲିରେ ହୋଇଥିଲା।

Share