Categories: ଖେଳ

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚାଇନାକୁ ହରାଇଲା ଭାରତ

ହୁଲୁନ୍‌ବୁଇର(ଚାଇନା), ୮ା୯: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଏଠାରେ ରବିବାର ଖେଳାଯାଇଥିବା ଏକ ମ୍ୟାଚରେ ଗତଥରର ଚାମ୍ପିୟନ ଭାରତୀୟ ପୁରୁଷ ଦଳ ୩-୦ ଗୋଲ୍‌ରେ ଆୟୋଜକ ଚାଇନାକୁ ପରାସ୍ତ କରିଛି। ଭାରତ ପକ୍ଷରୁ ସୁଖଜିତ୍‌ ସିଂ(୧୪ତମ ମିନିଟ), ଉତ୍ତମ ସିଂ (୨୭ତମ ମିନିଟ) ଓ ଅଭିଷେକ (୩୨ତମ ମିନିଟ) ଗୋଲ୍‌ ସ୍କୋର କରିଥିଲେ।

ଅଲିମ୍ପିକ୍ସରେ କ୍ରମାଗତ ଦ୍ୱିତୀୟ ଥର ବ୍ରୋଞ୍ଜ ଜିତିଥିବା ଭାରତ ଏହି ମ୍ୟାଚରେ ମିଳିଥିବା ସୁଯୋଗର ସଦୁପଯୋଗ କରିଥିଲା। ଦଳର ରକ୍ଷଣଭାଗ ଖେଳାଳିଙ୍କ ଦୃଢ଼ ପ୍ରତିରୋଧ ଯୋଗୁ ଏହି ବିଜୟ ସମ୍ଭବ ହୋଇପାରିଛି। ଭାରତ ନିଜ ପୁଲ୍‌ରେ ଏହାର ଦ୍ୱିତୀୟ ମ୍ୟାଚ ସୋମବାର ଜାପାନ ବିପକ୍ଷରେ ଖେଳିବ।

ଭାରତ ଗତବର୍ଷ ନିଜ ଘରୋଇ ମାଟିରେ ଏହି ଟୁର୍ନାମେଣ୍ଟ ଜିତିଥିଲା। ଇଭେଣ୍ଟର ଇତିହାସରେ ଭାରତ ଏକମାତ୍ର ଦଳ ଭାବେ ୪ଥର ଟାଇଟଲ ବିଜୟୀ ହେବାର ଗୌରବ ଅର୍ଜନ କରିଛି। ରବିବାର ମାଲେସିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏକ ହାଇ-ଭୋଲ୍‌ଟେଜ ମ୍ୟାଚ ୨-୨ ଗୋଲ୍‌ରେ ଅମୀମାଂସିତ ଭାବେ ଶେଷ ହୋଇଥିବା ବେଳେ ଜାପାନ ଓ କୋରିଆ ମଧ୍ୟରେ ଅନୁଷ୍ଠିତ ଏକ ହାଇ ସ୍କୋରିଂ ମ୍ୟାଚ ୫-୫ ଗୋଲ୍‌ରେ ଡ୍ର ରହିଥିଲା।

Share