Categories: ଜାତୀୟ

୨୦୪୦ ଯାଏ ବଢ଼ିବ ଭାରତର କର୍ମଜୀବୀ ଜନସଂଖ୍ୟା, ପ୍ରକାଶ ପାଇଲା ରିପୋର୍ଟ

ମାନିଲା, ୪।୮: ଆସନ୍ତା ୨୦୪୦ ଯାଏ ଭାରତର କର୍ମଜୀବୀ ଜନସଂଖ୍ୟାରେ ବୃଦ୍ଧି ଘଟିବ। ସେହିପରି ୨୦୫୦ ପର୍ଯ୍ୟନ୍ତ ଦେଶରେ ପର୍ଯ୍ୟାପ୍ତ ସଂଖ୍ୟାରେ କର୍ମଜୀବୀ ଜନସଂଖ୍ୟା ରହିଥିବ ବୋଲି ସଦ୍ୟ ପ୍ରକାଶିତ ଏସିଆନ୍‌ ଡେଭଲପ୍‌ମେଣ୍ଟାଲ ବ୍ୟାଙ୍କ(ଏଡିବି) ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୧ ଜନଗଣନା ଅନୁଯାୟୀ, ଭାରତର ସମୁଦାୟ ଜନସଂଖ୍ୟାର ୬୦%ରୁ ଅଧିକ କର୍ମଜୀବୀ ଜନସଂଖ୍ୟା ରହିଛନ୍ତି। ୨୦୩୧ ଯାଏ ଦେଶର କର୍ମଜୀବୀ ଜନସଂଖ୍ୟା ଲଗାତର ଭାବେ ବୃଦ୍ଧି ପାଇବ। ୨୦୩୧ ବେଳକୁ ଭାରତର ୬୫.୧% ଜନସଂଖ୍ୟା କର୍ମଜୀବୀ ହୋଇଥିବେ ବୋଲି ଏହି ରିପୋର୍ଟ ଅନୁମାନ କରିଛି। ତେବେ ୨୦୩୬ ବେଳକୁ ଏହି ସଂଖ୍ୟା ସାମାନ୍ୟ ହ୍ରାସ ଘଟି ୬୪.୯%ରେ ପହଞ୍ଚିବ। ଅନ୍ୟପକ୍ଷରେ ଚାଇନା ଓ ଜାପାନର କର୍ମଜୀବୀ ଜନସଂଖ୍ୟା ସମ୍ପ୍ରତି ହ୍ରାସ ପାଇବାରେ ଲାଗଛି। ଆଗାମୀ ବର୍ଷଗୁଡ଼ିକରେ ଉଭୟ ଦେଶର କର୍ମଜୀବୀ ଜନସଂଖ୍ୟା ଆହୁରି ହ୍ରାସ ପାଇବ ବୋଲି ଏଡିବି ରିପୋର୍ଟ ପ୍ରକାଶ କରିଛି।

ତେବେ ମିଳିତ ଜାତିସଂଘ(ୟୁଏନ୍‌)ର ସଦ୍ୟ ତଥ୍ୟ ଅନୁଯାୟୀ, ଅଧିକାଂଶ ଏସୀୟ ଏବଂ ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକ ସେମାନଙ୍କ ଜନସଂଖ୍ୟାର ଶିଖରକୁ ଅତିକ୍ରମ କରିସାରିଛନ୍ତି। ଆସନ୍ତା ବର୍ଷଗୁଡ଼ିକରେ ଏ ସମସ୍ତ ଦେଶର କର୍ମଜୀବୀ ଜନସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ। ତେଣୁ ଆଗାମୀ ୨ରୁ ୩ ଦଶନ୍ଧି ନିମନ୍ତେ ଏସୀୟ ଏବଂ ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକର ଶ୍ରମଶକ୍ତିରେ ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି, ସାମାଜିକ ଓ ଅର୍ଥନୈତିକ ସ୍ତରରେ ପ୍ରତିଭାବାନ୍‌ ଛାତ୍ରୀଛାତ୍ରଙ୍କୁ ଅଧିକ ସଂଖ୍ୟାରେ ଉଚ୍ଚଶିକ୍ଷା ପଢ଼ାଇବା ଆଦି ଅନେକ କ୍ଷେତ୍ରରେ ଫୋକସ୍‌ କରିବାକୁ ପଡ଼ିବ ବୋଲି ଏଡିବି ରିପୋର୍ଟରେ ପ୍ରକାଶ ପାଇଛି।

ସେହିପରି ସକ୍ରିୟ ଆଞ୍ଚଳିକ ସ୍ଥାନାନ୍ତରଣ ନୀତି ଓ ମାନବ ପୁଞ୍ଜି ବିନିଯୋଗ ଆଦି ମାଧ୍ୟମରେ ଏସୀୟ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କର୍ମଜୀବୀ ଜନସଂଖ୍ୟାର ଅଭାବକୁ ସଫଳତାର ସହ ପରିଚାଳନା କରାଯାଇପାରିବ। ଉକ୍ତ ଦେଶଗୁଡ଼ିକର ଅର୍ଥନୈତିକ ଅଭିବୃଦ୍ଧିକୁ ବଜାୟ ରଖିବା ଓ ଶ୍ରମ ଅସନ୍ତୁଳନକୁ ସମାଧାନ କରିବା ଆଦି ପାଇଁ ଶ୍ରମ ଗତିଶୀଳତା ଏବଂ ଆଞ୍ଚଳିକ ସହଯୋଗର ଆବଶ୍ୟକତା ରହିଛି ବୋଲି ଏଡିବି ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ପ୍ରକାଶ କରିଛି।

Share