Categories: ଖେଳ

ସେମିଫାଇନାଲରେ ଭାରତ

ହାଙ୍ଗଝୋ,୨୧।୯: ଆଜି ଏସିଆନ ଗେମ୍ସ ୨୦୨୩ରେ ମହିଳା କ୍ରିକେଟ ଇଭେଣ୍ଟରେ ଭାରତ ଏବଂ ମାଲେସିଆ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ବର୍ଷା ଯୋଗୁ ଏହି କ୍ୱାର୍ଟର ଫାଇନାଲ ମ୍ୟାଚ ବାତିଲ ହୋଇଥିଲ। ଏହା ସହ ଭାରତୀୟ ମହିଳା ଦଳ ବର୍ତ୍ତମାନ ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ଏହି ମ୍ୟାଚରେ ଭାରତୀୟ ଇନିଂସ ସମୟରେ ମଧ୍ୟ ବର୍ଷା ବ୍ୟାହତ ହୋଇଥିଲା। ଫଳରେ ମ୍ୟାଚ ୧୫-୧୫ ଓଭରକୁ ହ୍ରାସ ପାଇଥିଲା।
ଏହି ମ୍ୟାଚରେ ଭାରତୀୟ ମହିଳା ଦଳ ୧୫ ଓଭରରେ ୧୭୩ ରନ ସଂଗ୍ରହ କରିଥିଲେ। ଏହା ପରେ ମାଲେସିଆର ଇନିଂସରେ ମାତ୍ର ୨ଟି ବଲ ଖେଳିବା ପରେ ପ୍ରବଳ ବର୍ଷା ହେତୁ ମ୍ୟାଚ ବନ୍ଦ ହୋଇଯାଇଥିଲା। ଲଗାଣ ବର୍ଷା ହେତୁ ଅମ୍ପାୟାରମାନେ ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ୧୪ ସେପ୍ଟେମ୍ବରରେ ସେମିଫାଇନାଲ ମ୍ୟାଚ ଖେଳିବା ପାଇଁ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇବ।
ମାଲେସିଆ ବିପକ୍ଷରେ ଭାରତୀୟ ଦଳର ବ୍ୟାଟିଂ ଭଲ ଥିଲା। ତେବେ ଏହି ମ୍ୟାଚରେ ଅଧିନାୟକ ସ୍ମୃତି ମନ୍ଧନା ଏବଂ ଶେଫାଳି ବର୍ମାଙ୍କ ଯୋଡି ଦଳକୁ ଏକ ଭଲ ଆରମ୍ଭ କରିଥିଲେ। ପ୍ରଥମ ଉଇକେଟ ପାଇଁ ଉଭୟଙ୍କ ମଧ୍ୟରେ ୫୭ ରନର ଭାଗିଦାରୀ ଦେଖିବାକୁ ମିଳିଥିଲା। ୧୬ ଟି ବଲରେ ୨୭ ରନ୍‌ର ଇନିଂସ ଖେଳିବା ପରେ ମନ୍ଧାନା ପାଭିଲିୟନକୁ ଫେରିଥିଲେ।
୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଷ୍ଟାର ଖେଳାଳି ଜେମିମା ରୋଡ୍ରିଗେଜ ଗୋଟିଏ ପଟରୁ ଦ୍ରୁତ ଗତିରେ ସ୍କୋର କରିବା ଆରମ୍ଭ କରିଥିଲେ। ଶେଫାଳୀ ବର୍ମା ମଧ୍ୟ କ୍ରମାଗତ ଭାବରେ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିଲେ। ଦ୍ୱିତୀୟ ଉଇକେଟ ପାଇଁ ଉଭୟଙ୍କ ମଧ୍ୟରେ ୪୭ ବଲରେ ୮୬ ରନର ଭାଗିଦାରୀ ହୋଇଥିଲା। ୩୯ଟି ବଲରେ ୬୭ ରନ୍‌ର ଏକ ଇନିଂସ ଖେଳିବା ପରେ ଶେଫାଳି ବର୍ମା ଏହି ମ୍ୟାଚରେ ପ୍ୟାଭିଲିୟନକୁ ଫେରିଥିଲେ।
ଏଠାରୁ ଜେମିମା ରିଚା ଘୋଷଙ୍କ ସମର୍ଥନ ପାଇଲେ ଏବଂ ତୃତୀୟ ଉଇକେଟ ପାଇଁ ସେମାନଙ୍କ ମଧ୍ୟରେ ୧୨ଟି ବଲରେ ୩୦ ରନ ଭାଗିଦାରୀ ହୋଇଥିଲା। ୧୫ ଓଭରରେ ୨ ଉଇକେଟ ହରାଇ ଟିମ ଇଣ୍ଡିଆ ୧୭୩ ରନ ସ୍କୋରରେ ପହଞ୍ଚିବାରେ ସଫଳ ହୋଇଥିଲା। ଜେମିମା ୨୯ ବଲରେ ଅପରାଜିତ ୪୭ ରନ ସଂଗ୍ରହ କରିଥିବାବେଳେ ରିଚା ମଧ୍ୟ ୭ ବଲରେ ୨୧ ରନର ଅପରାଜିତ ଇନିଂସ ଖେଳିଥିଲେ।

Share