Categories: ଖେଳ

ଚମକିଲେ ଓଡ଼ିଆ ପୁଅ: ପ୍ରମୋଦଙ୍କୁ ସ୍ବର୍ଣ୍ଣ

ହାଙ୍ଗଝୋ, ୨୭।୧୦: ଦକ୍ଷତା ଏବଂ ନିଷ୍ଠାର ଏକ ରୋମାଞ୍ଚକ ପ୍ରଦର୍ଶନରେ ପ୍ରଖ୍ୟାତ ପାରା-ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଏସିଆନ ପାରା ଗେମ୍ସରେ ଶୁକ୍ରବାର ପୁରୁଷ ଏକକ ଏସ୍‌ଏଲ୍‌-୩ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ଏହି ବିଜୟ ପ୍ରମୋଦଙ୍କ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ। କାରଣ ସେ ପୂର୍ବରୁ ପାରାଲିମ୍ପିକ୍‌ରେ ସ୍ବର୍ଣ୍ଣ ଏବଂ ବିଶ୍ୱ ଚାମ୍ପିୟନ୍‌ଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏସିଆନ ପାରା ଗେମ୍ସ ୨୦୨୩’ରେ ଭାରତର ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଭାରତ ପାଇଁ ୨୧ତମ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି।

ପୁରୁଷ ଏକକ ଏସ୍‌ଏଲ୍‌-୩ ବର୍ଗର ଚୂଡ଼ାନ୍ତ ମ୍ୟାଚ୍‌ରେ ଭଗତ ନିଜ ଦେଶର ଖେଳାଳି ନିତେଶ କୁମାରଙ୍କୁ ୨୨-୨୦, ୧୮-୨୧, ୨୧-୧୯ରେ ପରାସ୍ତ କରି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ସେହିପରି ନିତେଶ କୁମାର ମଧ୍ୟ ପ୍ରଶଂସନୀୟ ଖେଳ ପ୍ରଦର୍ଶନ କରି ପ୍ରତିଯୋଗିତାର ଦ୍ବିତୀୟ ସ୍ଥାନରେ ରହି ରୋପ୍ୟ ପଦକ ହାସଲ କରିଛନ୍ତି।

ପ୍ରମୋଦ ଆଗରୁ ମିଶ୍ରିତ ଯୁଗଳ ଏବଂ ଯୁଗଳରେ କାଂସ୍ୟ ପଦକ ହାସଲ କରିଥିଲେ। ଏସିଆନ ଗେମ୍‌ରେ ୩ଟି ପଦକ ହାସଲ କରିବାରେ ପ୍ରମୋଦଙ୍କ ପାଇଁ ଏହା ପ୍ରଥମ। ୨୦୧୦ରେ ଏକକ ଓ ଯୁଗଳ ମ୍ୟାଚ୍‌ରେ ଭାଗ ନେଇଥିଲେ ମଧ୍ୟ ପ୍ରମୋଦଙ୍କୁ କୌଣସି ସଫଳତା ମିଳି ନ ଥିଲା। ୨୦୧୪ରେ ମଧ୍ୟ ସେ ଏକକ ଓ ଯୁଗଳରେ ଭାଗ ନେଇଥିଲେ। ହେଲେ ତାଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ୨୦୧୮ରେ ସେ ଏକକ ଏବଂ ଯୁଗଳରେ ଭାଗ ନେଇଥିଲେ। ସେ ଏକକରେ ସ୍ବର୍ଣ୍ଣ ଏବଂ ଯୁଗଳରେ କାଂସ୍ୟ ପଦକ ହାସଲ କରିଥିଲେ। ୨୦୨୨ରେ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳରେ ଭାଗ ନେଇଥିବା ପ୍ରମୋଦ ମିଶ୍ରିତ ଯୁଗଳରେ କାଂସ୍ୟ, ଯୁଗଳରେ କାଂସ୍ୟ ଓ ଏକକରେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ସକ୍ଷମ ହୋଇଥିଲେ।

Share