ଶଙ୍ଖ ଛାଡି ‘ହାତ’ ଧରିଲେ ଅସିତ

ଭୁବନେଶ୍ୱର, ୧୨।୪(ସୁନିତ୍‌ ମିଶ୍ର):ଭଦ୍ରକ ଜିଲା ବିଜେଡି ଉପସଭାପତି ତଥା ବର୍ତ୍ତମାନ ମଧୁବାବୁ ପେନ୍‌ସନ ଯୋଜନାର ଓଡ଼ିଶା ସରକାରଙ୍କ ମୁଖ୍ୟ ଉପଦେଷ୍ଟା ଅସିତ ପଟ୍ଟନାୟକ ଗୁରୁବାର କଂଗ୍ରେସରେ ଯୋଗଦେଇଛନ୍ତି। କଂଗ୍ରେସ ଭବନଠାରେ ଆୟୋଜିତ ମିଶ୍ରଣ ପର୍ବରେ ଅସିତଙ୍କ ସହ ବହୁ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଦସ୍ୟ, ବର୍ତ୍ତମାନର ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସମେତ ବହୁ ସମର୍ଥକ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ ପ୍ରମୁଖ ଉପସ୍ଥିତି ଥିଲେ। କଂଗ୍ରେସ ବରିଷ୍ଠ ନେତାମାନେ ଅସିତ ଓ ତାଙ୍କ ସମର୍ଥକମାନଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରିଛନ୍ତି। ଅପରପକ୍ଷରେ ଶରତ କହିଛନ୍ତି, ଅସିତବାବୁଙ୍କ ଯୋଗଦାନ ଦ୍ୱାରା କେବଳ ଭଦ୍ରକ ଜିଲା ନୁହେଁ, ସାରା ଓଡ଼ିଶାରେ ଦଳ ଅଧିକ ଶକ୍ତିଶାଳୀ ହେବ। ଓଡ଼ିଶାରେ କଂଗ୍ରେସ ସରକାର କରିବ ବୋଲି ସେ କହିଛନ୍ତି। ଏହି ଅବସରରେ ଅସିତ କହିଛନ୍ତି, ବିଜେଡି ଓ ଭାଜପା ଏକ ହୋଇ ଅଛନ୍ତି। ଉଭୟେ ବୁଝାମଣା ଭିତ୍ତିରେ ଓଡ଼ିଶାରେ ଲୋକ ସଭାଠାରୁ ଆରମ୍ଭକରି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଦେଇଛନ୍ତି। ସବୁଠୁ ଦୁଃଖର କଥା ଉଭୟ ଭାଜପା ଓ ବିଜେଡି ଭଦ୍ରକକୁ ଲୁଣ୍ଠନ କରୁଛନ୍ତି। କଂଗ୍ରେସ ଏଥର ନିର୍ବାଚନରେ ଭଦ୍ରକ ଜିଲାରେ ଆଶାତୀତ ସଫଳତା ଲାଭ କରିବ ବୋଲି ସେ କହିଛନ୍ତି।

Share