Categories: ଖେଳ

‘ଆସ୍କ ଫର୍‌ ଏ ସିକ୍ସ’

ନୂଆଦିଲ୍ଲୀ,୩ା୪(ପି.ଟି.): କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ସଲିମ୍‌ ଦୁରାନୀଙ୍କ ବିଷୟରେ କହିଛନ୍ତି ଯେ ଯଦି ଦୁରାନୀଙ୍କ ଆତ୍ମଜୀବନୀ ଲେଖାଯାଏ ତେବେ ଏହାର ନାଁ ‘ଆସ୍କ ଫର ଏ ସିକ୍ସ’ ରଖାଯିବ। ୬୦ ଓ ୭୦ ଦଶକରେ ଦିନିକିଆ କ୍ରିକେଟ ନ ଥିଲେ ମଧ୍ୟ ଦୁରାନୀ ନିଜ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଦର୍ଶକଙ୍କ ଫେଭରିଟ୍‌ ଥିଲେ। ଦର୍ଶକଙ୍କ ଡିମାଣ୍ଡରେ ଦୁରାନୀ ଚୌକା ଓ ଛକା ମାରୁଥିବାରୁ ତାଙ୍କୁ ଏଭଳି ଟାଇଟଲ ପ୍ରଦାନ କରିଥିଲେ ଗାଭାସ୍କର। ସେ ଲେଖିଥିଲେ, ଥରେ ଇଡେନ୍‌ ଗାର୍ଡେନ୍ସର ୯୦ ହଜାର ଦର୍ଶକ ସିକ୍ସର ସିକ୍ସର ଚିଲାଉଥିବା ବେଳେ ସେ ତାଙ୍କ ପରବର୍ତ୍ତୀ ବଲ୍‌ରେ ଛକା ମାରିଥିଲେ।

ଓ୍ବେଷ୍ଟଇଣ୍ଡିଜରେ ୧୯୭୧ରେ ଅଜିତ ଓ୍ବାଦେକରଙ୍କ ନେତୃତ୍ୱରେ ଭାରତୀୟ ଦଳ ସିରିଜ୍‌ ଜିତିଥିଲା। ଗାଭାସ୍କର ଏହି ସିରିଜ୍‌ରେ ୭୭୪ ରନ୍‌ କରିଥିଲେ ମଧ୍ୟ ପୋର୍ଟ ଅଫ୍‌ ସ୍ପେନ୍‌ରେ ଦୁରାନୀଙ୍କ ୨/୨୧ର ସ୍ପେଲ୍‌ ସମସ୍ତଙ୍କୁ ଚକିତ କରିଦେଇଥିଲା। କ୍ଲାଇଭ୍‌ ଲଏଡ୍‌ ଓ ସାର୍‌ ଗାରଫିଲ୍ଡ ସୋବର୍ସଙ୍କ ମହତ୍ୱପୂର୍ଣ୍ଣ ଉଇକେଟ ନେଇ ସେ ବିଜୟ ପକ୍କା କରିଥିଲେ। ସେ ସମୟରେ ଗୋଟିଏ ଟେଷ୍ଟ ମ୍ୟାଚ୍‌ ପାଇଁ ୩୦୦ ଟଙ୍କା ମିଳୁଥିବା ବେଳେ ଦୁରାନୀ କିନ୍ତୁ ଖେଳ ପ୍ରତି ଥିବା ତାଙ୍କ ଭଲପାଇବା ଲାଗି ଖେଳୁଥିଲେ ବୋଲି କହିଛନ୍ତି ଗାଭାସ୍କର। ଦୁରାନୀଙ୍କ କ୍ୟାରିୟରର ଶେଷଆଡ଼କୁ ବିଶନ ସିଂ ବେଦୀ, ଭଗଓ୍ବତ ଚନ୍ଦ୍ର ଶେଖର, ଏରାପଲ୍ଲୀ ପ୍ରସନ୍ନା ଓ ଏସ୍‌. ଭେଙ୍କଟରାଘବନଙ୍କ ଉତ୍‌ଥାନ ଘଟିବା ସହିତ ଭାରତୀୟ ସ୍ପିନ୍‌ ବୋଲିଂ ଏକ ନୂତନ ଶିଖର ଛୁଇଁଥିଲା।

 

Share