ସୁଭଦ୍ରା ଯୋଜନା ଦରଖାସ୍ତ ପାଇଁ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଗିରଫ ହେଲେ ୨ ଜନସେବା କର୍ମଚାରୀ

ଭୁବନେଶ୍ୱର,୧୨।୯: ସୁଭଦ୍ରା ଯୋଜନା ଦରଖାସ୍ତ ପାଇଁ ଅର୍ଥ ଦାବି ମହଙ୍ଗା ପଡ଼ିଲା। ଭୁବନେଶ୍ବରର ୨ ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି। ଉଭୟେ ନିଳାଦ୍ରିବିହାର ଏବଂ ସତ୍ୟନଗର ସ୍ଥିତ ଜନସେବା କେନ୍ଦ୍ରର କର୍ମଚାରୀ ବୋଲି ଜଣାପଡ଼ିଛି।

ରାଜ୍ୟ ସରକାର ପ୍ରଣୟନ କରିଥିବା ସୁଭଦ୍ରା ଯୋଜନା ଫର୍ମ ସଂଗ୍ରହ ତଥା ପଞ୍ଜିକରଣ ପାଇଁ ଗତ କିଛିଦିନ ଧରି ଜନସେବା କେନ୍ଦ୍ରଗୁଡ଼ିକରେ ଭିଡ଼ ଜମୁଛି। ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗର ଡାଟାବେସରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ମଙ୍ଗଳବାର ସୁଦ୍ଧା ୧୫ ଲକ୍ଷରୁ ଅଧିକ ଫର୍ମ ପଞ୍ଜିକରଣ ହୋଇଛି। ତେବେ ଏହି ଯୋଜନା ଅନ୍ତର୍ଗତ ଆବେଦନ ଫର୍ମ ବିତରଣ ଓ ଅନଲାଇନ ପଞ୍ଜୀକରଣ କରିବା ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ ବୋଲି ସରକାର କହିଥିଲେ। ମାତ୍ର କେତେକ ସ୍ଥାନରେ ଅଙ୍ଗନଓ୍ବାଡି କର୍ମୀ, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଉଭୟ ଫର୍ମ ପାଇଁ ଓ ଅନଲାଇନରେ ଫର୍ମ ଅପଲୋଡ କରିବା ପାଇଁ ୫୦ ରୁ ୨୦୦ ଟଙ୍କା ଅର୍ଥ ଦାବି କରୁଥିବା ସୂଚନା ମିଳୁଛି। ଯେକୌଣସି ସ୍ଥାନରେ ସୁଭଦ୍ରା ଫର୍ମ ପାଇଁ ଅର୍ଥ ଦାବି କରାଯାଉଥିଲେ, ସେଥି ନିମନ୍ତେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବିଭାଗ ପକ୍ଷରୁ ସୂଚନା ଦିଅଯାଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ, ସୁଭଦ୍ରା ଫର୍ମ ଓ ପଞ୍ଜୀକରଣ ପାଇଁ ଅର୍ଥ ଦାବି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଆବେଦନ ଫର୍ମ ବିତରଣ ଓ ଅନଲାଇନ ପଞ୍ଜୀକରଣ ପାଇଁ କୌଣସି ଦେୟ ନାହିଁ। ଟଙ୍କା ଦାବି ନେଇ ଆସିଥିବା ଅଭିଯୋଗ ସତ୍ୟ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରତି ଫର୍ମ ଅପଲୋଡ ପାଇଁ ରାଜ୍ୟ ସରକାର ୧୫ ଟଙ୍କା ଦେଉଛନ୍ତି। ଅର୍ଥ ଦାବି କଲେ କାରଣ ଦର୍ଶାଇ ଥାନାରେ ଅଭିଯୋଗ କରିପାରିବେ ବୋଲି କହିଥିଲେ।

 

Share