Categories: ଜାତୀୟ

ନାଁ ପଚାରି ରାହୁଲଙ୍କୁ ମାରିଥିଲେ

ଶ୍ରୀନଗର,୧୪।୫: କଶ୍ମୀରୀ ପଣ୍ଡିତ ରାହୁଲ ଭଟ୍ଟ ହତ୍ୟା ଘଟଣାରେ ସମ୍ପୃକ୍ତ ୩ ଆତଙ୍କବାଦୀ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛନ୍ତି। ବନ୍ଦିପୋରାର ବ୍ରାର୍‌ ଅଞ୍ଚଳରେ ସୁରକ୍ଷା ବଳ ଓ ଜମ୍ମୁ-କଶ୍ମୀର ପୋଲିସର ମିଳିତ ଅଭିଯାନରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନେ ପାକିସ୍ତାନୀ ଲଶ୍କର-ଇ-ତୋଇବା ସଦସ୍ୟ ଓ ନିକଟରେ ଜମ୍ମୁ-କଶ୍ମୀରେ ଅନୁପ୍ରବେଶ କରିଥିଲେ। ୧୧ ତାରିଖ ତଲାସି ଅଭିଯାନ ବେଳେ ସେମାନେ ଖସିଯାଇଥିଲେ ବୋଲି ପୋଲିସ କହିଛି। ସେହିପରି ବନ୍ଦିପୋରାର ବ୍ରାର୍‌ ଅଞ୍ଚଳରେ ଆଉ ଜଣେ ଆତଙ୍କବାଦୀ ସୁରକ୍ଷା ବଳ ଗୁଳିରେ ପ୍ରାଣ ହରାଇଛନ୍ତି।
ବଡ଼ଗାମ ତହସିଲ ଅଫିସରରେ କଶ୍ମୀରୀ ପଣ୍ଡିତ ତଥା ସରକାରୀ କର୍ମଚାରୀ ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀ ଗୁଳିକରି ହତ୍ୟା କରିଥିଲେ। ଏହାକୁ ନେଇ ଉପତ୍ୟକାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ହତ୍ୟା ପ୍ରତିବାଦରେ କଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟର ସଦସ୍ୟମାନେ ଶୁକ୍ରବାର ଶ୍ରୀନଗର ବିମାନବନ୍ଦର ଅଭିମୁଖେ ଶୋଭାଯାତ୍ରାରେ ଯାଉଥିବାବେଳେ ସେମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲାଠିଚାଳନା କରିବା ସହ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ବିକ୍ଷୋଭକାରୀମାନେ ପ୍ରଥମେ ବଡଗାମ୍‌ ଜିଲାର ଶେଖପୋରା ଅଞ୍ଚଳରେ ଏକାଠି ହେବା ପରେ ବିମାନବନ୍ଦର ଅଭିମୁଖେ ଅଗ୍ରସର ହୋଇଥିଲେ। ସେମାନଙ୍କୁ ଫେରିଯିବାକୁ ପୋଲିସ ଅନୁରୋଧ କରିବା ସତ୍ତ୍ୱେ ବିକ୍ଷୋଭକାରୀ ଆଗେଇବାରୁ ସେମାନଙ୍କୁ ଘଉଡ଼ାଇବାକୁ ବଳ ପ୍ରୟୋଗ କରିବାକୁ ପଡ଼ିଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି।
କଶ୍ମୀରୀ ପଣ୍ଡିତ ହତ୍ୟା ଘଟଣାର ତଦନ୍ତ ଲାଗି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ ନିମନ୍ତେ ଜମ୍ମୁ-କଶ୍ମୀର ପ୍ରଶାସନ ଶୁକ୍ରବାର ଘୋଷଣା କରିଛି। ଏଥିସହିତ ମୃତକଙ୍କ ପରିବାରରୁ ଜଣକୁ ସରକାରୀ ଚାକିରି ଯୋଗାଇଦିଆଯିବ।

Share